Breaking News
10-Feb-2024
ଭୁବନେଶ୍ୱର, ତା ୧୦.୨.୨୪ ରିଖ(ଭାରତ ପ୍ରସାରଣ ନିଉଜ) - ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ବିଧାନସଭା ସମ୍ମୁଖରେ ଚାଲିଥିବା ଅହୋରାତ୍ର ଗଣଧାରଣା ଆଜି ଚତୁର୍ଥ ଦିବସରେ ଉପନୀତ । ରାଜଧାନୀର ରାଜରାସ୍ତାରେ ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ନିଜର ହକ୍ ପାଇଁ ପଡ଼ିରହିଛନ୍ତି ଓ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ଶ୍ରୀ ଦାଶ ଆହୁରି ମଧ୍ୟ କହିଛନ୍ତି ସରକାର ସ୍ଥାୟୀ ସମାଧାନ ଚାହୁଁ ନାହାନ୍ତି । ସମାନ କଥା ପାଇଁ ଶିକ୍ଷକ କର୍ମଚାରୀମାନେ ବାରମ୍ବାର ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି । ମୁଣ୍ଡ ଉପରେ ମାଟ୍ରିକ୍ ପରୀକ୍ଷା ଥିଲେ ମଧ୍ୟ ସରକାରଙ୍କର ସେଥିପ୍ରତି ନିଘା ନାହିଁ ।ଶିକ୍ଷାବ୍ୟବସ୍ଥା ଭୁଷୁଡ଼ି ଗଲେ ବି ସରକାରଙ୍କୁ କିଛି ଫରକ୍ ପଡ଼େନା ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ସୂଚନାଥାଉକି, ଆଜକୁ ୩୦ ବର୍ଷ ଧରି ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନେ ମାଗଣାରେ ଖଟୁଛନ୍ତି ଏବଂ ଅନୁଦାନରୁ ବଞ୍ଚିତ ହୋଇ ରହିଛନ୍ତି । ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରୁ ବିନା ପେନସନ୍ରେ ଶୂନ୍ୟ ହସ୍ତରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଉଛନ୍ତି । ୩୦ ବର୍ଷ ଧରି ପୂର୍ଣ୍ଣ ଅନୁଦାନ ପାଉଥିବା ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରିବା ପାଇଁ ଦାବି ହୋଇଆସୁଛି । ସରକାର ମଧ୍ୟ ବାରମ୍ବାର ଏହା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ କରୁ ନାହାନ୍ତି । ଆଜି ଏ ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଶୂନ୍ୟ ହେଲାଣି । ଏହି ବିଦ୍ୟାଳୟକୁ ସରକାରୀକରଣ କରା ନଗଲେ ଶିକ୍ଷକ ନିଯୁକ୍ତି ଦିଆଯାଇ ପାରିବ ନାହିଁ । ଏକଥା ସରକାରଙ୍କୁ ସଂଗଠନ ତରଫରୁ ବହୁବାର ଅବଗତ କରାଯାଇଛି । ତଥାପି ସରକାର ଚୁପ୍ ବସିବା ସମସ୍ତଙ୍କୁ ବିସ୍ମିତ କରୁଛି ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି । ଏଥିସହିତ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ କମିଶନ, ଚାକିରି ସର୍ତ୍ତାବଳୀ ଓ ପେନସନ୍ ଦେବେ ବୋଲି ସରକାର ବିଗତ ଆନ୍ଦୋଳନ ସମୟରେ କହିଥିଲେ । ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନ ନେବା ଯୋଗୁଁ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନୁଦାନ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ଦେବେ ଦେବେ କହି ଭଣ୍ଡେଇ ଚାଲିଛନ୍ତି । ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଚତୁର୍ଥଶ୍ରେଣୀ କର୍ମଚାରୀ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କ ପ୍ରତି ସରକାର ଲଗାତର ଅବହେଳା କରି ଚାଲିଛନ୍ତି । ଏହିପରି ଅନେକ ଅସମାନତା ବିରୁଦ୍ଧରେ ସଂଗଠନ ତରଫରୁ ବହୁବାର ଆଲୋଚନା କରାଗଲେ ମଧ୍ୟ ତା'ର କୌଣସି ସୁଫଳ ମିଳି ନାହିଁ ।। ସରକାର ଆପଣେଇ ଚାଲିଥିବା କାଳକ୍ଷେପଣ ନୀତି ବିରୁଦ୍ଧରେ ଏହି ଆନ୍ଦୋଳନ ଚାଲୁ ରିହିଛି । ଆଉ ସରକାର ଯଦି ହେୟ ମନେକରି ଶିକ୍ଷକମାନଙ୍କର ଦାବିଗୁଡ଼ିକ ପ୍ରତି ନଜର-ଅନ୍ଦାଜ କରନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ଜଟିଳ ହେବ । ଦାବିପୂରଣ ନହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ଓଷ୍ଟାର ନେତୃତ୍ୱ ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି ।