Breaking News
06-Mar-2024
ଭୁବନେଶ୍ୱର୬,୩.୨୪(ଭାପ୍ର):- ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍ ମିଳିତ ଆନୁକୂଲ୍ୟରେ ଜାତୀୟ ସଂହତି ଓ ସଂସ୍କୃତି ପର୍ବ ‘ଉତ୍ସବ ଓଡ଼ିଶା’ ଆଜି ବାଣୀ ବିହାର ଏମ୍କେସିଜି ଅଡିଟୋରିଅମ ପରିସରରେ ଉଦ୍ଘାଟିତ ହୋଇଯାଇଅଛି ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଲେଖକ ତଥା ପୂର୍ବତନ ପ୍ରଶାସକ ହରପ୍ରସାଦ ଦାସ ମାତୃଭାଷାର ବ୍ୟବହାର ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ଆନ୍ତର୍ଜାତିକ ଭାଷା ଭାବରେ ଓଡ଼ିଆ ଭାଷା ୧୮ତମ ସ୍ଥାନ ଅଧିକାର କରିଛି । କିନ୍ତୁ ଏହାକୁ ବିଶ୍ୱ ଭାଷା ଭାବରେ ବ୍ୟବହାର କାରିବା ଏବଂ ଚିହ୍ନିତ କରିବାରେ ଆମେ ବିଫଳ ହୋଇଛୁ । ଜଣେ ନିଜ ଭାଷାର ଅବସ୍ଥା ବିଷୟରେ ଅବଗତ ହେବା ସହ ସେହି ଅନୁଯାୟୀ ନୀତି ପ୍ରସ୍ତୁତ କରିବା ଆବଶ୍ୟକ । ଭାରତୀୟ ସଂହତିରେ ଓଡ଼ିଶା ହେଉଛି ପ୍ରକୃଷ୍ଟ ଉଦାହରଣ ଯେଉଁଠି ଜାତୀୟ ପ୍ରୀତି ଓ ଆତ୍ମୀୟତାର ସମନ୍ୱୟ ଘଟିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ସଂସ୍କୃତି ବିଭାଗର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ କହିଥିଲେ ଯେ ଭାଷା ହେଉଛି ସଂସ୍କୃତିର ଏକ ବାହକ, ଉତ୍ସବ ଓଡ଼ିଶା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସମ୍ଭବ ହେବ । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓଡ଼ିଶାର ଗୌରବମୟ ଇତିହାସକୁ ମନେପକାଇ କହିଥିଲେ ଯେ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ହେଉ ଅବା ସାହିତ୍ୟ ସୃଷ୍ଟି କରିବା ହେଉ ବିଶ୍ୱବିଦ୍ୟାଳୟ ମାନଙ୍କର ଗୁରୁଦାୟିତ୍ୱ ରହିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ସମିତିର ବରିଷ୍ଠ ଉପଦେଷ୍ଟା ନିଶାମଣି କର ବିଶ୍ୱର ବିଭିନ୍ନ ସଭ୍ୟତା ଠାରୁ ଭାରତର ସଭ୍ୟତା ଭିନ୍ନ ଓ ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଭାରତରେ ଜୀବନର ଅଧ୍ୟାତ୍ମିକତାରେ ବେଦ, ପୁରାଣ ଓ ଉପନିଷଦର ମୌଳିକ ତତ୍ୱଗୁଡିକ ପରିଲଖିତ ହୋଇଥାଏ । ଠିକ୍ ସେହିପରି ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବିଶ୍ୱ ଭାତୃତ୍ୱଭାବ ସୃଷ୍ଟି କରିବା ସହ ବିଶ୍ୱକୁ ଗୋଟିଏ ପରିବାରେ ବାନ୍ଧିରଖିବାର କଥା କହେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଯୁବ ଲେଖକ ତଥା ସାଧାରଣ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଂଜନ ଦାସ ମାଟି, ମା ଓ ମାତୃଭାଷା ପ୍ରତି ପ୍ରତିବଦ୍ଧତା ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସେ ରବିନ୍ଦ୍ରନାଥ ଟାଗୋରଙ୍କର ଏକ ଲେଖାକୁ ମନେ ପକାଇ କହିଥିଲେ ଯେ ଜଣେ ନିଜ ମାତୃଭାଷା ମାଧ୍ୟମରେ ନିଜକୁ ସଂପୂର୍ଣ୍ଣ ଭାବରେ ପ୍ରକାଶ କରିପାରିବ ।
ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ମିତାଲି ଚିନାରା, ଉତ୍ସବ ଓଡ଼ିଶାର ଆବାହକ ତଥା ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍ର ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ ଏବଂ ମୃତ୍ୟୁଞ୍ଜୟ ରଥ ପ୍ରମୁଖ ଉଦ୍ଘାଟନି ଉତ୍ସବରେ ମତବ୍ୟକ୍ତ କରିଥିଲେ ।
ପ୍ରଥମ ବୈଷୟିକ ଅଧିବେଶନରେ ଯୋଗ ଦେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତର ପରିଷଦର ଅଧ୍ୟକ୍ଷା ନବନୀତା ରଥ ଏବଂ ଲେଖକ ତଥା ଶିକ୍ଷାବିତ୍ ନିରଂଜନ ପାଢ଼ୀ ପ୍ରମୁଖ “ଜାତୀୟ ସଂହତିରେ ଜାତୀୟ ଶିକ୍ଷାନୀତି ର ଭୂମିକା” ଶୀର୍ଷକରେ ମତବ୍ୟକ୍ତ କରିଥିଲେ । ଉତ୍ସବର ଦ୍ୱିତୀୟ ଦିବସରେ ବିଶିଷ୍ଟ କଥାକାର ଦାଶ ବେନେହୁର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ, ସାଧାରଣ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଂଜନ ଦାସ, ସାମ୍ବାଦିକ ଓ ଲେଖକ କେଦାର ମିଶ୍ର ଏବଂ ପ୍ରଖ୍ୟାତ ଲେଖିକା ଶୁଭଶ୍ରୀ ଲେଙ୍କା ପ୍ରମୁଖ “ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପୁନଃଜାଗରଣ” ଶୀର୍ଷକରେ ଆଲୋଚନା କରିବେ ।
ଉଦଯାପନୀ ଉତ୍ସବରେ ଲେଖକ ଓ ଶିକ୍ଷାବିତ୍ ସାନ୍ତନୁ ଆଚାର୍ଯ୍ୟ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ସଂଜୟ ଶତପଥୀ, ଜଣାଶୁଣା ସମାଜସେବୀ ଜଗଦାନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ କାହ୍ନୁ ଚରଣ ଧୀର, ଏବଂ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।