Breaking News
10-Feb-2024
ଭୁବନେଶ୍ୱର: ତା ୧୦.୨.୨୪ ରିଖ(ଭାରତ ପ୍ରସାରଣ ନିଉଜ):- କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଓ ଜାତୀୟତା ବିରୋଧୀ ଧ୍ବଂସମୁଖୀ ନୀତିଗୁଡ଼ିକ ବିରୋଧରେ ସଂଯୁକ୍ତ କିଷାନ ମୋର୍ଜା ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମିଳତ ମଞ୍ଚ ତରଫରୁ ୧୬ ଫେବୃୟାରୀ ଦେଶବ୍ୟାପୀ ହରତାଳ/ଧର୍ମଘଟ/ ଗ୍ରାମୀଣ ଭାରତ ବନ୍ଦ ପାଇଁ ଦିଆଯାଇଥିବା ଡାକରାକୁ ରାଜଧାନୀ ଅଟୋ ଚାଳକ ସଂଘ ଓ ଓଡ଼ିଶା ମୋଟର କର୍ମଚାରୀ ଫେଡ଼େରେସନ ସମର୍ଥନ ଜଣାଇଛନ୍ତି। ତତ ସଙ୍ଗେ ସଙ୍ଗେ ଏହି ଗ୍ରାମୀଣ ଭାରତ ବନ୍ଦକୁ ଓଡ଼ିଶାରେ ସଫଳ ପାଇଁ ଆଜି ମାଷ୍ଟରକ୍ୟାଣ୍ଟିନସ୍ଥିତ ଅଟୋ ଷ୍ଟାଣ୍ଡଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜଧାନୀ ଅଟୋ ଚାଳକ ସଂଘର ସଭାପତି ସୁର ଜେନା ଓ ଓଡ଼ିଶା ମୋଟର କର୍ମଚାରୀ ଫେଡ଼େରେସନର ନେତା ତଥା ଏଆଇଟିୟୁସିର ସମ୍ପାଦକ ଜୟନ୍ତ ଦାସ କହିଛନ୍ତି। ଭାରତର ଶ୍ରମିକ ଶ୍ରେଣୀ ଦୀର୍ଘବର୍ଷର ସଂଗ୍ରାମ ଫଳରେ ଯେଉଁସବୁ ଅଧିକାର ହାସଲ କରିଥିଲା, ମୋଦି ସରକାର ୪ଟି ଲେବର କୋଡ୍ ଜରିଆରେ ସେହିସବୁ ଅଧିକାରକୁ ଛଡ଼ାଇ ନେଇଛନ୍ତି । ଏଣୁ ଏହି ୪ ଲେବର କୋଡ୍କୁ ବାତିଲ କରିବା ସହିତ ଦରବୃଦ୍ଧି ନିୟନ୍ତ୍ରଣ କରିବା , ଖାଦ୍ୟପଦାର୍ଥ, ଔଷଧ, କୃଷି ପାଇଁ ଆବଶ୍ୟକୀୟ ଦ୍ରବ୍ୟ, କୃଷି ଯନ୍ତ୍ରପାତି ଓ କୃଷି ଉତ୍ପାଦନ ସାମଗ୍ରୀ ଉପରୁ ଜିଏସ୍ଟି ଉଠାଇବା, ରନ୍ଧନ ଗ୍ୟାସ୍ ଏବଂ ତୈଳଜାତ ସାମଗ୍ରୀ (ପେଟ୍ରୋଲିୟମ୍ ପଦାର୍ଥ) ଉପରୁ ଯଥେଷ୍ଟ ପରିମାଣର କେନ୍ଦ୍ରୀୟ ଅବକାରୀ ଟିକସ ହ୍ରାସ କରିବା, ଚାଷୀମାନଙ୍କୁ ବିହନ, ସାର ଏବଂ ବିଦ୍ୟୁତ୍ କ୍ଷେତ୍ରରେ ରିହାତି ବୃଦ୍ଧି କରିବା , କୃଷିଜାତ ଦ୍ରବ୍ୟଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଏବଂ ଫସଲ ସଂଗ୍ରହକୁ ସୁନିଶ୍ଚିତ କରିବା, ଜାତୀୟ ସର୍ବନିମ୍ନ ମାସିକ ମଜୁରି ୨୬୦୦୦ ଟଙ୍କା ଧାର୍ଯ୍ୟ କରିବା, ରିକ୍ସା/ ଅଟୋ/ ଟ୍ୟାକ୍ସି ଚାଳକମାନଙ୍କୁ ଶ୍ରମିକ ଭାବେ ପଞ୍ଜୀକରଣ କରି ସେମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କରିବା ଆବଶ୍ୟକ ଆଦି ଦାବି ଉଠାଇଛନ୍ତି।ଗ୍ରାମୀଣ ଭାରତ ବନ୍ଦର ବିଭିନ୍ନ ଦାବି ସେମାନେ ମଧ୍ୟ ଉପସ୍ଥାପିତ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ଅଭୟ କୁମାର ବାରିକ, ରାଧାକାନ୍ତ ଶତପଥୀ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।