Breaking News
06-Feb-2024
● ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବ ରେଡିଓ ମେଳା
● ଶଙ୍କର୍ଷଣ ମଙ୍ଗରାଜଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ
● ରେଡିଓ ଜକି ହେବାର ନୂଆ ସୁଯୋଗ ଦେବ ମେଗା ଆର୍.ଜେ ହଣ୍ଟ
● ରେଡ଼ିଓ ମେଳାରେ ବିଶେଷ ଆକର୍ଷଣ ହାମ୍ ଫେଷ୍ଟ
ଭୁବନେଶ୍ୱର-ତା ୬.୨.୨୪ ରିଖ(ଭାରତ ପ୍ରସାରଣ):-ଆସନ୍ତା ଫେବୃଆରୀ ୧୩ ଏବଂ ୧୪ ତାରିଖରେ ଦଶମ ଆଉଟରିଚ ଆନ୍ତର୍ଜାତୀୟ ରେଡ଼ିଓ ମେଳା ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବ। ଏହା ଏସିଆ ମହାଦେଶର ଏକମାତ୍ର ରେଡ଼ିଓ ମେଳା। ଏହି ମେଳାରେ ଦେଶର ଅନେକ ରେଡ଼ିଓ ପ୍ରସାରକ ଓ ରେଡ଼ିଓ ଷ୍ଟେସନ ଯୋଗ ଦେବେ। ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷ ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯିବ। ଏହି ମେଳାରେ ୩ ହଜାରରୁ ଅଧିକ ପ୍ରକାର ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ହାମ୍ ରେଡ଼ିଓ ଓ ଗ୍ରାମୋଫୋନ ପ୍ରଦର୍ଶନ କରାଯିବ। ଫେବୃଆରୀ ୧୩ ତାରିଖ ବିଶ୍ଵ ରେଡ଼ିଓ ଦିବସକୁ ସ୍ମରଣୀୟ କରିବା ପାଇଁ ଆଉଟରିଚ ପ୍ରତିବର୍ଷ ଏଭଳି ଆୟୋଜନ କରୁଛି ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୁବ୍ରତ କୁମାର ପତି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଦେଶର ବିଭିନ୍ନ ରାଜ୍ୟରୁ ହାମ୍ ରେଡ଼ିଓ ଏହି ମେଳାରେ ଯୋଗ ଦେବେ। ଏହାଛଡ଼ା ରାଜ୍ୟର ଅନେକ କମ୍ୟୁନିଟି ରେଡିଓ ଷ୍ଟେସନ ମଧ୍ୟ ମେଳାରେ ସାମିଲ ହେବେ ।
ରେଡିଓ ଜକି ହେବା ପାଇଁ ଏହି ମେଳାରେ ୪୦ ଜଣଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିପାରିବ। ଯୋଗ୍ୟ ପ୍ରାର୍ଥୀ କମ୍ୟୁନିଟି ରେଡିଓ, ପ୍ରାଇଭେଟ୍ ଏଫ୍ଏମ୍ ବା ଅନଲାଇନ ରେଡ଼ିଓରେ ଚାକିରି ପାଇଁ ସୁଯୋଗ ପାଇପାରିବେ। ଏଥିପାଇଁ ବୟସ ସୀମା ମଧ୍ୟ ନାହିଁ। ୨୦ରୁ ଅଧିକ ଷ୍ଟେସନର ଅଧିକାରୀ ଯୋଗ ଦେଇ ନିଜ ଚାନେଲ ପାଇଁ ଆରଜେ ଚୟନ କରିପାରିବେ।
ମେଳାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବ। ନୃତ୍ୟ, ଗୀତ ଓ ଚିତ୍ରାଙ୍କନ ସହ ତର୍କ ପ୍ରତିଯୋଗିତାରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ। କଲେଜ ଛାତ୍ରଛାତ୍ରୀ ମାନେ ସମ୍ବାଦ ପଠନରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ମାନେ ଅନଲାଇନ ଏବଂ ସ୍ପଟ୍ ପଞ୍ଜୀକରଣ କରିପାରିବେ।
ଏହି ଅବସରରେ ଓଡ଼ିଶାର ଲୋକପ୍ରିୟ ସମ୍ବାଦ ଉପସ୍ଥାପକ ମନୋଜ ମହାପାତ୍ର(News 7, Prameya)ଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ଆଓ୍ଵାର୍ଡ, ପ୍ରଖ୍ୟାତ ରେଡିଓ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ଵାର୍ଡ ସମ୍ମାନରେ ସମ୍ମାନିତ କରାଯିବ। ତାମିଲନାଡୁର ହୋଲି କ୍ରସ କମ୍ୟୁନିଟି ରେଡିଓକୁ ଚଳିତବର୍ଷ ଶ୍ରେଷ୍ଠ କମ୍ୟୁନିଟି ରେଡ଼ିଓ ଭାବରେ ସମ୍ମାନିତ କରାଯିବ। ବିହାରର ରାମବିଳାସ ପ୍ରସାଦଙ୍କୁ ଶ୍ରେଷ୍ଠ ରେଡ଼ିଓ ଶ୍ରୋତା ଭାବରେ ସମ୍ମାନିତ କରାଯିବ। ରେଡ଼ିଓ ମେଳାରେ କଟକର କାଳୀ ପ୍ରସାଦ ପଣ୍ଡା, ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ ଏବଂ ଭୁବନେଶ୍ବରର ରାଜେନ୍ଦ୍ର ସାହୁ ରେଡ଼ିଓ ସଂଗ୍ରାହକ ଭାବେ ଯୋଗ ଦେବେ ଏବଂ ଓଡିଶା ସରକାରଙ୍କ ସଂସ୍କୃତି ଭିଭାଗ ସହାୟତାରେ ରେଡ଼ିଓ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବବୋଲି ରେଡ଼ିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି ପ୍ରକାଶ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ବିଷ୍ଣୁପ୍ରିୟା ସାହୁ ଓ ଶୁଭେନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।