Breaking News
16-Feb-2024
ଭୁବନେଶ୍ୱର,ତା ୧୬.୨.୨୪ ରିଖ(ଭାପ୍ର):- ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନକୁ ମୁକ୍ତ,ଅବାଧ ଓ ଶାନ୍ତି ପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ଗତ କାଲି ଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଭାରତ ନିର୍ବାଚନ ଆୟୋଗ ଶ୍ରୀ ରାଜୀବ କୁମାର।ଶ୍ରୀ କୁମାରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତସରୀୟ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ପହଞ୍ଚି ଛନ୍ତି।
ଆଜି ପ୍ରଥମ ଦିନରେ ଭାରତ ନିର୍ବାଚନ ଆୟୋଗ ଶ୍ରୀ କୁମାର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଇଥିଲେ ।
ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସଂପର୍କରେ ମାନ୍ୟବର ଆୟୋଗଙ୍କୁ ଅବଗତ କରାଇଥିଲେ । ପରେ ପରେ ମାନ୍ୟବର ମୁଖ୍ୟ ନିର୍ବାଚନ କମିଶନର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାୱାରୀ ସମୀକ୍ଷା କରିଥିଲେ । ହେବାକୁ ଥିବା ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ଵ ଦେବାକୁ ମାନ୍ୟବର ମୁଖ୍ୟ ନିର୍ବାଚନ କମିଶନର ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏତଦ୍ବ୍ୟତୀତ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ କୁମାର ସ୍ଵୀକୃତିପ୍ରାପ୍ତ ଜାତୀୟ, ରାଜ୍ୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯେପରି ଅବାଧ, ମୁକ୍ତ, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯାଇପାରିବ, ସେଥ୍ ନିମନ୍ତେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ମୁଖ୍ୟ ନିର୍ବାଚନ କମିଶନର ବୈଠକରେ ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ଭାରତର ମାନନୀୟ ନିର୍ବାଚନ ଆୟୁକ୍ତ ଶ୍ରୀ ଅରୁଣ ଗୋଏଲ, ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଶ୍ରୀ ଧର୍ମେନ୍ଦ୍ର ଶର୍ମା ଓ ଶ୍ରୀ ନିତେଶ ବ୍ୟାସ, ଉପ ନିର୍ବାଚନ ଆୟୁକ୍ତ ଶ୍ରୀ ମନୋଜ କୁମାର ସାହୁ, ଭାରତର ନିର୍ବାଚନ ଆୟୋଗଙ୍କ ଗଣମାଧ୍ଯମ ମହାନିର୍ଦ୍ଦେଶକ ଶ୍ରୀ ବି. ନାରାୟଣନ ଏବଂ ଆୟୋଗର ଅର୍ଥନୈତିକ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ଉପସ୍ଥିତ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡା. ଏନ. ତିରୁମାଲା ନାୟକଙ୍କ ସମେତ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ରାଜସ୍ୱ ଆୟୁକ୍ତ, ଆରକ୍ଷୀ ମହା ନିରୀକ୍ଷକ, ପୋଲିସ କମିଶନର ମାନନୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।
ଆସନ୍ତାକାଲି ୧୭ ତାରିଖ ଅପରାହ୍ନରେ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ କୁମାର ଓ ତାଙ୍କ ସହିତ ଆସିଥିବା ବରିଷ୍ଠ ପଦାଧିକାରୀ ମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ବାଚନ ସମ୍ବଧିୟ ତଥ୍ୟ ପ୍ରଦାନ କରିବେ।