Breaking News
16-Feb-2024
ଭୁବନେଶ୍ୱର, ତା. ୧୬.୦୨.୨୪ ରିଖ(ଭାପ୍ର) : ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ପରିଚାଳନାରେ ବିଫଳ, ଏବେ
ରାଜ୍ୟରେ ୩୦ ଲକ୍ଷ ପ୍ରବାସୀ ଶ୍ରମିକ, ୬ ବର୍ଷରେ ଓଡ଼ିଶାରେ ୬୦ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର ଜିଲ୍ଲା ବେଲପାହାଡ଼ ବ୍ଲକ, ସୁଲେଇକଳା ଗ୍ରାମର ପ୍ରବାସୀ ଶ୍ରମିକ କାହ୍ନୁମଲ୍ଲିକଙ୍କ ମୃତ୍ୟୁ ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଘଟଣା । ଦାଦନ ପ୍ରବଣ ରାଜ୍ୟଭାବେ ଓଡ଼ିଶା
ତମାମ ଦେଶରେ କୁଖ୍ୟାତି ଅର୍ଜନ କରିଛି । ଉତ୍କଳମଣି ଗୋପବନ୍ଧୁ ଏବଂ ମଧୁବାବୁଙ୍କ ସ୍ୱପ୍ନର ଓଡ଼ିଶାକୁ
ଦାଦନ ଓଡ଼ିଶାରେ ପରିଣତ କରିଛି ଏ ରାଜ୍ୟ ସରକାର । ୨୪ ବର୍ଷର ବିଜୁ ଜନତା ଦଳ ସରକାର
ସମୟରେ ଦାଦନର କରୁଣ ଚିତ୍ର ରାଜ୍ୟର ବିକାଶ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦୋଷାରପ କରିଛନ୍ତି ।
ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ମିଶ୍ର କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶା, ଇନ୍ଭେଷ୍ଟର ମିଟ୍, ଓଡ଼ିଶା କନ୍କ୍ଲେଭ ଦ୍ୱାହି ଦେଇ ନୂଆ ନିଯୁକ୍ତି ସୃଷ୍ଟି ସୁଯୋଗ ଆଳରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଦାଦନ ସମସ୍ୟାର ସମାଧାନ କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛି ।
ଦାଦନ ପ୍ରବଣ ଜିଲ୍ଲା ଭାବେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ପ୍ରତି ୨ ଓ ୪ ଦିନରେ ଦାଦନ ଖଟୁଥିବା କେହି ନା କେହି ପ୍ରାଣ ହରାଉଛନ୍ତି । ସେହିପରି ନବରଙ୍ଗପୁର ତେନ୍ତୁଲିଖୁଂଟି ବ୍ଲକ ପୁଜାରୀପୁଟ ବ୍ଲକ ପଂଚାୟତରେ
ଦାନୀଗୁଡ଼ା ଗ୍ରାମର ୮୦ ଘର ମଧ୍ୟରୁ ୩୦ ଗରେ ଏବେ ତାଲା ଝୁଲୁଛି । ବଲାଙ୍ଗିର ବେଲପଡ଼ା ବ୍ଲକର ୧
ଲକ୍ଷ ୧୬ ହଜାର ପରିବାର ବସବାସ କରୁଥିବାବେଳେ ପ୍ରତିବର୍ଷ ଏହି ବ୍ଲକର ୩୦ ହଜାର ଅର୍ଥାତ ୧
ଚତୁଥାଂଶ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ।
ଓଡ଼ିଶା ଶ୍ରମିକ କ’ଣ ପାଇଁ ଦାଦନ
ଖଟିବାକୁ ବାହାରକୁ ଯାଉଛନ୍ତି? କିଛି ଅଣଓଡ଼ିଆ ଅଧିକାରୀ ମନରେଗାକୁ ଜେସିପି ମେସିନ୍ ଦ୍ୱାରା କାମ କରାଇ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ବାହାରକୁ ଯାଇ ଦାଦନ ଖଟିବାକୁ ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ରାଜ୍ୟରେ କୋଭିଡ଼-୧୯ ମହାମାରୀ ସମୟରେ ରାଜ୍ୟ ସରକାର ରାଜ୍ୟ ବାହାରେ ୬ ଲକ୍ଷ ୫୦ ହଜାର ପ୍ରବାସୀ ଶ୍ରମିକ ଅଛନ୍ତି ବୋଲି କହିଥିଲେ । କିନ୍ତୁ ନିଜ ରାଜ୍ୟକୁ ଫେରିବା ପାଇଁ ପାଖାପାଖି ୧୨ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ନାମ ପଞ୍ଜିକରଣ କରିଥିଲେ । ଏଥିରୁ ସ୍ପଷ୍ଟ ସୂଚନା ମିଳେ ପ୍ରବାସୀ ଶ୍ରମିକଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ସଠିକ୍ ତଥ୍ୟ ନାହିଁ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ରାଜ୍ୟରେ ଗୋତିମୁକ୍ତି ଶ୍ରମିକ ନିରୋଧ ଆଇନ୍ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ଉପର ଠାଉରିଆ ଭାବରେ କିଛି ଅଣଓଡ଼ିଆ ଅଧିକାରୀ ରାଜ୍ୟବାସୀଙ୍କୁ ଓ ରାଜ୍ୟ ପ୍ରଶାସନଙ୍କୁ ଖେଳଣା ଭଳି ମନେ କରୁଛି । ତେଣୁ କଂଗ୍ରେସ ଏହାକୁ ତୀବ୍ର ନିନ୍ଦା କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ମୁଖପାତ୍ର ମନୋରଞ୍ଜନ ଦାସ ଓ ରବୀନ୍ଦ୍ର ଅଚାର୍ଯ୍ୟ ଉପସ୍ଥିତ ଥିଲେ