Breaking News
10-Feb-2024
ଭୁବନେଶ୍ୱର ତା ୧୦.୨.୨୪ ରିଖ (ଭାରତ ପ୍ରସାରଣ): ଖଲ୍ଲିକୋଟ ରାଜପରିବାରର ଶେଷ ଦାୟାଦ ରାଣୀ, ବର୍ଷୀୟାନ ନେତ୍ରୀ,ଖଲ୍ଲିକୋଟ ଏବଂ କବିସୂର୍ଯ୍ୟ ନଗରର ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି।ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ୮୭ ବର୍ଷ ବୟସରେ ତାଙ୍କ ମୃତ୍ୟୁ ଖବର ସମଗ୍ର ରାଜ୍ୟରେ ଗଭୀର ଶୋକର ଛାୟା ଖେଳାଇଦେଇଛି।ସେ ଖଲ୍ଲିକୋଟ ରାଜପରିବାର ଏବଂ ରାଜା ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ବୋହୁ ଅଟନ୍ତି।ସ୍ୱର୍ଗତା ଭି. ସୁଜ୍ଞାନ କୁମାରୀ ଦେଓ ଓଡିଶା ତଥା ଭାରତ ବର୍ଷର ଜଣେ ବରିଷ୍ଠ ରାଜନୀତିଜ୍ଞ ଥିଲେ।
୨୦୧୪ ମସିହାରେ ଶେଷ ନିର୍ବାଚନ ଲଢ଼ି ବିଧାୟିକା ହୋଇଥିଲେ। ୧୯୩୭ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତୀ ଦେଓ ୧୯୬୧ ମସିହାରେ ରାଜନୈତିକ ଜୀବନ ଆରମ୍ଭ କରି ପ୍ରଥମ ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍ୱର୍ଗତା ଦେଓ ୧୯୬୪ ମସିହାରେ ଉତ୍କଳ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ।ସେହିପରି ୧୯୭୭,୧୯୮୫,୧୯୯୦,୧୯୯୫ ମସିହାରେ ୪ ଥର ଜନତା ଦଳ ଟିକେଟରେ ନିର୍ବାଚିତ ହୋଇ ବିଧାୟିକା ହୋଇଥିଲେ । ଅନୁରୂପ ଭାବେ କବିସୂର୍ଯ୍ୟନଗର ଆସନରୁ ବିଜେଡି ଦଳରୁ ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ବିଧାୟିକା ରହିଛନ୍ତି ।ଏହିଭଳି ଭାବେ ରାଜନୈତିକ ଜୀବନରେ ଖଲ୍ଲିକୋଟରୁ ୮ ଥର ଏବଂ କବିସୂର୍ଯ୍ୟନଗର ଆସନରୁ ୨ ଥର ସର୍ବମୋଟ ୧୦ ଥର ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ ।
ଦୀର୍ଘ ୬୦ ବର୍ଷର ରାଜନୈତିକ ଜୀବନରେ ସେ କେବେ କୌଣସି ଉଚ୍ଚ ପଦପଦବୀ ଆଶା ରଖି ନ ଥିଲେ । ବିଜୁ ବାବୁ ଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ ଦାତା ଥିଲେ।।
ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚେନ୍ନାଇ ଯାଇଁ ଆପୋଲୋ ହସ୍ପିଟାଲ ରେ ତାଙ୍କୁ ଭେଟି ତାଙ୍କ ଆରୋଗ୍ୟ କାମନା କରିଥିଲେ।କିନ୍ତୁ ବିଳମ୍ବିତ ରାତିରେ ରାଣୀଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି ।୬୦ ବର୍ଷ ରାଜନୈତିକ ଜୀବନର ଅବସାନ ଘଟିଛି।ଏହି ମହାନ୍ ନେତ୍ରୀଙ୍କ ବିୟୋଗ କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ସମଗ୍ର ଭାରତ ବର୍ଷର ରାଜନୈତିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।