Breaking News
04-Feb-2024
● ନିର୍ବାଚନ ଟିକଟ ବଂଟନରେ ସ୍ୱଚ୍ଛତା ରକ୍ଷା ପାଇଁ କଂଗ୍ରେସର ନିଆରା ପଦକ୍ଷେପ
● ସାଧାରଣଲୋକଙ୍କୁ ନେତୃତ୍ୱ ନେବାର ସୁଯୋଗ ଦେବ ପ୍ରୋଜେକ୍ଟ ପ୍ରଗମନ
● www.pragaman.in ଲିଙ୍କରେ ଟିକଟ ପାଇଁ ଆବେଦନ କରିିବେ ଆଶାୟୀ ବିଧାୟକ ଓ ସାଂସଦ ପ୍ରାର୍ଥୀ
● ଦଳୀୟ ଟିକଟ ପାଇଁ ଅର୍ଥ, ସୁପାରିଶ କିମ୍ବା ଦିଲ୍ଲୀ ଦୌଡ଼ିବାକୁ ପଡ଼ିବନି
● ଦେଶରେ ପ୍ରଥମଥର ପାଇଁ ଓଡ଼ିଶାରୁ ଆରମ୍ଭ ହେଉଛି ଏହି ଐତିହାସିକ ଅଭିଯାନ
● ଓଡ଼ିଶାର ପ୍ରଗତି ପାଇଁ ପ୍ରଗମନରେ ସାମିଲ ହେବାକୁ ଆହ୍ୱାନ ଦେଲେ ଓଡିଶା ପ୍ରଭାରୀ ଡ଼ ଅଜୟ କୁମାର
ଭୁବନେଶ୍ୱର-ତା ୪/୨/୨୪ ରିଖ:- କଂଗ୍ରେସ ରାଜନୀତିରେ ସ୍ଵଛତା ଆଣିବା ପାଇଁ ଏବଂ ରାଜ୍ୟରେ ଆସନ୍ତା ବିଧାନସଭା ଏବଂ ଲୋକସଭା ନିର୍ବାଚନ ରେ ଟିକେଟ ବଣ୍ଟନ ରେ ସ୍ଵଛତା ପାଇଁ କଂଗ୍ରେସ ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ଓଡିଶା ରୁ ଏକ ଐତିହାସିକ ଯୋଜନାର ଘୋଷଣା କରାଯାଇଛି। ପ୍ରୋଜେକ୍ଟ "ପ୍ରଗମନ" ଦେଶରେ ନେତୃତ୍ୱ ପାଇଁ ସୁଯୋଗ କାର୍ଯ୍ୟକାରୀ କରିବ କଂଗ୍ରେସ ଦଳ।ଆଜି କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଏଭଳି ସୂଚନା ପ୍ରଦାନ କରି ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼. ଅଜୟ କୁମାର।
ଡ଼ ଅଜୟ କୁମାର ସାମ୍ୱାଦିକଙ୍କୁ ସୂଚନା ପ୍ରଦାନ କରି କହିଥିଲେ ବିଧାୟକ ଓ ସାଂସଦ ପାର୍ଥି ପାଇଁ କଂଗ୍ରେସ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଏକ ଐତିହାସିକ ଅନଲାଇନ ପୋର୍ଟାଲ ର ଶୁଭାରମ୍ଭ କରିଛି ଓଡିଶାରୁ।ଓଡ଼ିଶାର ପ୍ରକୃତ ବିକାଶ ଚାହୁଁଥିବା ଏବଂ ସାଧାରଣ ଲୋକଙ୍କ ହକ୍ ପାଇଁ ଲଢ଼େଇ କରୁଥିବା ସ୍ୱାଭିମାନୀ ଓଡ଼ିଆଙ୍କ ହାତରେ ନେତୃତ୍ୱ ଦେବାକୁ ଦଳ ନିଷ୍ପତି ନେଇଛି । ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳର ଟିକଟ ବଂଟନ ସଲାସୁତରାରେ ଚାଲିଛିି । ଭାରତୀୟ ଜନତା ପାର୍ଟିରେ କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଟିକଟ ପ୍ରଦାନର କ୍ଷମତା ରହିଛି । ସେହିପରି ବିଜୁ ଜନତା ଦଳରେ ଜଣେ ତାମିଲ ବାବୁ ଟିକଟ ବଂଟନ କରିବାର କ୍ଷମତା ରଖିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ବିଜୁ ଜନତା ଦଳର ଟିକଟ ବଂଟନ ସହିତ ଭାରତୀୟ ଜନତା ପାର୍ଟିର ଟିକଟ ବଂଟନରେ ମଧ୍ୟ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛନ୍ତି ।ଯାହା କି ପ୍ରମାଣିତ ହୋଇଛି କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଉଭୟ ବିଜେଡି ଏବଂ ବିଜେପି ଦଳ ରାଜ୍ୟସଭା ପାର୍ଥି କରିବା କ୍ଷେତ୍ରରେ। ମାତ୍ର କଂଗ୍ରେସ ଦଳରେ ସେମିତି ବ୍ୟବସ୍ଥା ନାହିଁ । କଂଗ୍ରେସ ଦଳ ମଧ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ବଜାୟ ରହିଛି । କୌଣସି ସ୍ୱାଭିମାନୀ ଓଡ଼ିଆ ଓଡ଼ିଶାର ସେବା କରିବା ନିମନ୍ତେ ନେତୃତ୍ୱ ନେବାକୁ ତାମିଲ ବାବୁଙ୍କ ପାଖରେ ହାତ ପତେଇବାକୁ ପଡ଼ିବ ନାହିଁ । କଂଗ୍ରେସ ସବୁବେଳେ ସାଧାରଣ ଲୋକଙ୍କ ସହିତ ରହିଆସିଛି । କଂଗ୍ରେସ ଟିକଟ ପାଇଁ କୌଣସି ପ୍ରକାର ସୁପାରିଶ କି ଅର୍ଥ କାରବାର ହୋଇପାରିବ ନାହିଁ । ଆଶାୟୀ ପ୍ରାର୍ଥୀଙ୍କୁ ଆଉ ଏଥିପାଇଁ ବାରମ୍ବାର ଦିଲ୍ଲୀ ମଧ୍ୟ ଦୌଡ଼ିବାକୁ ପଡ଼ିବ ନାହିଁ । ଓଡ଼ିଶାର ଯେକୌଣସି ଓଡ଼ିଆ ବ୍ୟକ୍ତି, ଯୁବ ନେତୃତ୍ୱ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗର ଯୁବକ ଏବଂ ମହିଳା ମଧ୍ୟ କଂଗ୍ରେସରୁ ଟିକଟ ପାଇ ନିର୍ବାଚନ ଲଢ଼ିପାରିବେ ବୋଲି ସେ ପ୍ରକାଶ କରିଥିଲେ।ଏଥି ନିମନ୍ତେ www.pragaman.in ଅନଲାଇନ ପୋର୍ଟାଲ ରେ ଆଜିଠାରୁ ବିଧାୟକ ଓ ସାଂସଦ ପାର୍ଥି ପାଇଁ ଫେବୃଆରୀ ୧୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।କେବଳ ଯେଉଁମାନେ ଲୋକଙ୍କ ସହ ରହିଥିବେ, ଯେଉଁମାନଙ୍କର ସଂଗଠନ ଭଲ ଥିବ,ଲୋକ ସମ୍ପର୍କ ଥିବ ,ସେଭଳି ଜନତାଙ୍କୁ ପାର୍ଥି ହେବାକୁ ସୁଯୋଗ ଦେବ କଂଗ୍ରେସ ଦଳ। ଏହାଦ୍ଵରା ଦେଶର ସାଧାରଣଲୋକଙ୍କୁ ଏକ ବଡ ସୁଯୋଗ ମିଳିବ। ଦେଶରେ କୌଣସି ଦଳ ଯୁବକ ଏବଂ ଯୁବତୀଙ୍କୁ ଏଭଳି ସୁଯୋଗ ଦେଇନାହିଁ। ସମ୍ପୂର୍ଣ ସ୍ୱଚ୍ଛତାର ସହ ଏହି ଆବେଦନ ପ୍ରକ୍ରିୟା ରେ କଂଗ୍ରେସ ଦଳ ନିଷ୍ପତି ନେବ । ଅର୍ଥର ଚାହିଦା ନୁହେଁ ନେତୃତ୍ୱ ହିଁ ଯୋଗ୍ୟତାର ମାପକାଠି ହେବ,ଏବେ ଆପଣ ଓଡ଼ିଶାର ସ୍ୱର ହୁଅନ୍ତୁ,ଯଦି ଆପଣଙ୍କ ପାଖରେ ଅଛି ସେବା କରିବାର ମାନବିକତାର ବିଚାର ତେବେ ଆପଣଙ୍କ ପାଇଁ କଂଗ୍ରେସର ଦ୍ୱାର ଖୋଲା।ଯେଉଁମାନେ ପ୍ରକୁତରେ ଲୋକଙ୍କର ଓ ରାଜ୍ୟର ସେବା କରିବାକୁ ଚାହୁଁଛନ୍ତି,କଂଗ୍ରେସର ଏହି ଐତିହାସିକ ଅଭିଯାନରେ ସାମିଲ ହେବା ପାଇଁ ଆହ୍ୱାନ ଦେଲେ ଓଡିଶା ପ୍ରଭାରୀ ଡ଼ ଅଜୟ କୁମାର।
ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ଯେ ସାଧାରଣ ଲୋକ, ଲୋକ ସେବକ, ବଳିଷ୍ଠ ସଂଗଠକ, ଯାହାଙ୍କର ନିଜ ନିର୍ବାଚନମଣ୍ଡଳୀରେ ଜନାଧାର ରହିଛି, ଭଲ ଲୋକ ସମ୍ପର୍କ ରହିଛି ସେମାନଙ୍କ ପାଇଁ କଂଗ୍ରେସ ଏକ ଅପୂର୍ବ ଅବକାଶ ଆଣି ଦେଇଛି । ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବ ନିର୍ବିଶେଷରେ ଯେଉଁମାନଙ୍କର ଦେଶ ଓ ରାଜ୍ୟ ପାଇଁ ସେବା କରିବାର ମନୋବୃତି ରହିଥିବ ସେମାନେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିପାରିବେ । ଏଥିପାଇଁ ସାରା ଭାରତରେ ପ୍ରଥମ କରି ଓଡ଼ିଶାରେ ପ୍ରୋଜେକ୍ଟ ପ୍ରଗମନ ନାମରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶାକୁ ପ୍ରୟୋଗଶାଳା କରି ଜାତୀୟ କଂଗ୍ରେସ ନିର୍ବାଚନରେ ସଂସ୍କାର ଆଣିବାକୁ ଏଭଳି ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି । ରାଜତନ୍ତ୍ର କାଳରେ ଯେଭଳି ଜଣେ ସାଧାରଣ ଯୁବକ କପିଳେନ୍ଦ୍ର ରାଉତରାୟଙ୍କୁ ଲୋକେ ବାଛି ରାଜା କପିଳେନ୍ଦ୍ର ଦେବ କରିଥିଲେ, ସେହିଭଳି ସାଧାରଣ ଲୋକଙ୍କ ଭିତରୁ ବଳିଷ୍ଠ ନେତୃତ୍ୱ ସୃଷ୍ଟି କରିବାର ସୁଯୋଗ ଦେବାକୁ କଂଗ୍ରେସ ପ୍ରୟାସ କରୁଛି ।
ପ୍ରୋଜେକ୍ଟ ପ୍ରଗମନର ଅଧ୍ୟକ୍ଷ ପ୍ରବୀଣ ପାଠକ କହିଲେ ଯେ www.pragaman.in ରେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଫର୍ମ ଉପଲବ୍ଧ ରହିଛି । ଆଶାୟୀ ପ୍ରାର୍ଥୀମାନେ ଏଥିରେ ଆବେଦନ କରିବା ପରେ ପ୍ରକୃତ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇ ଟିକଟ ପ୍ରଦାନ କରାଯିବ । ଏହି ଅବସରରେଏଆଇସିସି ଓଡିଶା ପ୍ରଭାରୀ ଡ.ଅଜୟ କୁମାର ପାର୍ଥି ଚୟନ ପ୍ରକିୟାର ଅନଲାଇନ ପୋର୍ଟାଲ ର ଏକ ପୋଷ୍ଟରକୁ ଉନ୍ମୋଚନ କରିଥିଲେ।ଅନ୍ୟମାନଙ୍କ ଏଆଇସିସି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ଖ୍ରୀଶ୍ଟୋଫର ତିଲକ, ଏଆଇସିସି ଗଣମାଧ୍ୟମ ସଂଯୋଜକ ବବିତା ଶର୍ମା, ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ବିଶ୍ୱ ବିଶ୍ଵରଞ୍ଜନ ମହାନ୍ତି , ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅମୀୟ ପାଣ୍ଡବ,ଡ଼ ସୁମିତ ଦୁବେ ପ୍ରମୁଖ ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
ବି ମହାପାତ୍ର,ଭୁବନେଶ୍ୱର