ଶ୍ରୀ ଦାସ କହିଛନ୍ତି, "ଆଜି କୋଟିଆ ମାଟିରେ ଆମ ରାଜ୍ୟର ଅସ୍ମିତା ଓ ପ୍ରଶାସନିକ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଓଡ଼ିଶା ପୁଲିସ ଓ ସ୍ଥାନୀୟ ଅଧିକାରୀମାନେ ଯେଉଁ ଦୃଢ଼ତା ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି। କୋଟିଆ କେବଳ ଭୂଖଣ୍ଡର ଏକ ଖଣ୍ଡ ନୁହେଁ, ଏହା ଓଡ଼ିଶାର ସ୍ୱାଭିମାନର ପ୍ରତୀକ। ଆମ ପିଡିଏସ୍ ଚାଉଳର ସୁରକ୍ଷା କରିବା ଏବଂ ଓଡ଼ିଶା ସୀମା ମଧ୍ୟକୁ ବେଆଇନ ଅନୁପ୍ରବେଶକୁ ରୋକିବା ପାଇଁ ଆମର ‘ଖାକି ବାହିନୀ’ ଓ ସଂପୃକ୍ତ ଅଧିକାରୀମାନେ ଯେଭଳି କର୍ତ୍ତବ୍ୟନିଷ୍ଠା ଦେଖାଇଛି, ତାହା ପ୍ରଶଂସନୀୟ। ଏହି ସଂକଟ ସମୟରେ ମୁଁ ଜଣେ ସଚେତନ ନାଗରିକ ଏବଂ କଂଗ୍ରେସ ଦଳର ପ୍ରତିନିଧି ଭାବରେ ସ୍ପଷ୍ଟ କରିବାକୁ ଚାହେଁ ଯେ— *‘ଆମେ ଦୃଢ଼ ଭାବେ ରାଜ୍ୟ ସହିତ ଅଛୁ’* । ଯେତେବେଳେ ପ୍ରସଙ୍ଗ ଓଡ଼ିଶାର ମାଟି, ମାଆ ଏବଂ ସୀମା ସୁରକ୍ଷାର ଆସେ, ସେତେବେଳେ କୌଣସି ଦଳୀୟ ରାଜନୀତି ବା ମତଭେଦ ରହେ ନାହିଁ। ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଆମେ ରାଜ୍ୟବାସୀଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛୁ। ମାତ୍ର ଏହା ସହିତ, ଜଣେ ଦାୟିତ୍ୱବାନ ପ୍ରତିନିଧି ଭାବରେ ମୁଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସଂଯମ ରକ୍ଷା ପୂର୍ବକ ବେଆଇନ ଭାବେ ନିଜ ପୁଲିସ ବାହିନୀକୁ ଓଡ଼ିଶା ଭିତରକୁ ଅନୁପ୍ରବେଶ କରିବାରୁ କ୍ଷାନ୍ତ ହେବାକୁ ଦାବି କରୁଛି। ଦୁଇଟି ପଡ଼ୋଶୀ ରାଜ୍ୟର ପୁଲିସ ବାହିନୀ ମଧ୍ୟରେ ଏଭଳି ଶାରୀରିକ ଧସ୍ତାଧସ୍ତି ଓ ସଂଘର୍ଷ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସଂଘୀୟ ବ୍ୟବସ୍ଥା ପ୍ରତି ଶୁଭଙ୍କର ନୁହେଁ। ଏହା ସୀମାନ୍ତରେ ରହୁଥିବା ସାଧାରଣ ଗରିବ ଆଦିବାସୀ ଭାଇଭଉଣୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷିତ ମନୋଭାବ ସୃଷ୍ଟି କରିବ।’’
ଶ୍ରୀ ଦାସ ଆହୁରି କହିଛନ୍ତି, ‘‘ଆମେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଏଭଳି ବାରମ୍ବାର ଅନୁପ୍ରବେଶ ଏବଂ ଓଡ଼ିଶା ସୀମା ମଧ୍ୟରେ ଜୋରଜବରଦସ୍ତ କ୍ୟାମ୍ପ କରିବା ମନୋଭାବକୁ ନିନ୍ଦା କରୁଛୁ। ଏହି ସମସ୍ୟାର ସମାଧାନ ରାସ୍ତାରେ ଆକ୍ରୋଶମୂଳକ ଭାବେ ହୋଇପାରିବ ନାହିଁ। ଓଡ଼ିଶା ସରକାର ତୁରନ୍ତ ସର୍ବୋଚ୍ଚ ଅଦାଲତଙ୍କ ୨୦୦୬ ମସିହାର ‘ଷ୍ଟାଟସ୍ କ୍ବୋ’ (ସାମ୍ପ୍ରତିକ ସ୍ଥିତି) ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କେନ୍ଦ୍ର ନିକଟରେ ଉପସ୍ଥାପନ କରନ୍ତୁ। ୧୯୩୬ ମସିହାରୁ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଥିବା କୋଟିଆ ସପକ୍ଷରେ ଯେତେ ପ୍ରାମାଣିକ ତଥ୍ୟ ରହିଛି ତାକୁ କେନ୍ଦ୍ର ସରକାର ନିକଟରେ ଉପସ୍ଥାପନ କରି ଏକ ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ପ୍ରଶାସନିକ ବିଜୟ ପାଇଁ ପ୍ରକ୍ରିୟା ଆରମ୍ଭ କରନ୍ତୁ।’’ କୋଟିଆର ଜନସାଧାରଣଙ୍କୁ ନିବେଦନ କରି ଶ୍ରୀ ଦାସ କହିଛନ୍ତି, ଆନ୍ଧ୍ରର ପଂଚାୟତ ନିର୍ବାଚନକୁ ସେମାନେ ବର୍ଜନ କରନ୍ତୁ। ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିକାଶ ପ୍ରକ୍ରିୟା ପ୍ରସଙ୍ଗରେ କଂଗ୍ରେସ ଦଳ ସୀମାନ୍ତ ଅଞ୍ଚଳର ପ୍ରତିଟି ପରିବାରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ସରକାରଙ୍କୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଦାବି କରୁଛୁ ଏବଂ ପୁଣିଥରେ ଦୋହରାଉଛୁ ଯେ, ଓଡ଼ିଶାର ପ୍ରଶାସନିକ ସାର୍ବଭୌମତ୍ୱ ରକ୍ଷା ଲଢ଼େଇରେ କଂଗ୍ରେସ ସର୍ବଦା ଓଡ଼ିଶାବାସୀଙ୍କ ସହିତ ରହିବ।"





