ନୂଆଦିଲ୍ଲୀ, ୨/୧୧(ଭାରତ ପ୍ରସାରଣ): ଭୋଟର ଅଧିକାର, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷାକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତକାଲି ରାମଲିଳା ମୈଦାନରେ ତାଙ୍କ ଅଭିଭାଷଣରେ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଭୋଟ ଚୋରି ଅଭିଯୋଗ, ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା, ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ସ୍ୱାଧୀନତା ଏବଂ ସାଧାରଣ ଲୋକଙ୍କ ଅଧିକାରକୁ ନେଇ ସେ ନିଜର ମତ ରଖିଥିଲେ। ଏହି ଆନ୍ଦୋଳନ କୌଣସି ଗୋଟିଏ ଦଳର ନୁହେଁ, ବରଂ ସମଗ୍ର ଭାରତର ଜନସାଧାରଣଙ୍କ ସ୍ୱର ବୋଲି ସେ କହିଥିଲେ।

- ସମ୍ବିଧାନଠାରୁ ବଡ଼ କେହି ନୁହେଁ
ରାହୁଲ ଗାନ୍ଧୀ କହିଥିଲେ, ଦେଶର ଯୁବକ, କୃଷକ ଓ ଶ୍ରମିକମାନେ ଏକାଠି ହୋଇ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି। କୌଣସି ବ୍ୟକ୍ତିଙ୍କ ପାଖରେ ଯେତେ ଅର୍ଥ କିମ୍ବା କ୍ଷମତା ଥାଉ, ସେ ସମ୍ବିଧାନଠାରୁ ବଡ଼ ନୁହନ୍ତି। ସମ୍ବିଧାନ ହେଉଛି ଦେଶର ସର୍ବୋଚ୍ଚ ଶକ୍ତି ଏବଂ ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ।

- ଭୋଟ ଚୋରି ନେଇ ଗୁରୁତର ଅଭିଯୋଗ
ନିର୍ବାଚନରେ ଭୋଟ ଚୋରି ହେଉଥିବା ନେଇ ରାହୁଲ ଗାନ୍ଧୀ ଗୁରୁତର ଅଭିଯୋଗ ଉଠାଇଥିଲେ। ମଧ୍ୟପ୍ରଦେଶ, ହରିୟାଣା, ଛତିଶଗଡ଼, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟର ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ସେ ପ୍ରଶ୍ନ ଉଠାଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଇଭିଏମ୍ ଓ ଭୋଟର ତାଲିକାରେ ନାମ କାଟିବା ଏବଂ ଯୋଡ଼ିବା ମାଧ୍ୟମରେ ନିର୍ବାଚନକୁ ପ୍ରଭାବିତ କରାଯାଉଛି। ୨୦୨୪ ନିର୍ବାଚନ ପରେ ପ୍ରାୟ ୧୩.୫ କୋଟି ଭୋଟରଙ୍କ ନାମ ତାଲିକାରୁ ହଟାଯାଇଥିବା ଦାବି କରି ସେ ଏହାକୁ ନିର୍ବାଚନୀ ସ୍ୱଚ୍ଛତା ପାଇଁ ଗୁରୁତର ପ୍ରଶ୍ନ ବୋଲି କହିଥିଲେ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ରାହୁଲ ଗାନ୍ଧୀ ଦାବି କରିଥିଲେ। ତାଙ୍କ ମତରେ, ଏହା କେବଳ ଭୋଟର ଅଧିକାରର ପ୍ରଶ୍ନ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସ୍ୱର ଓ ଗଣତାନ୍ତ୍ରିକ ଅଧିକାରର ପ୍ରଶ୍ନ।

- ଅନୁଷ୍ଠାନଗୁଡ଼ିକର ସ୍ୱାଧୀନତା ଉପରେ ପ୍ରଶ୍ନ
ଦେଶର ବିଭିନ୍ନ ସାମ୍ବିଧାନିକ ଓ ପ୍ରଶାସନିକ ଅନୁଷ୍ଠାନ ଉପରେ ଆରଏସଏସ୍ର ପ୍ରଭାବ ବଢ଼ୁଥିବା ନେଇ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ସିବିଆଇ, ଇଡି, ନ୍ୟାୟପାଳିକା, ପ୍ରଶାସନ ଓ ପୋଲିସ ଭଳି ଅନୁଷ୍ଠାନଗୁଡ଼ିକ ଦେଶର ଜନସାଧାରଣଙ୍୍କ ପାଇଁ ଉଦ୍ଦିଷ୍ଟ, କୌଣସି ରାଜନୈତିକ ଦଳର ସମ୍ପତ୍ତି ନୁହେଁ ବୋଲି ସେ କହିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଦେଶର ସମ୍ପତ୍ତି କେତେକ ଧନୀ ଶିଳ୍ପପତିଙ୍କ ହାତରେ କେନ୍ଦ୍ରୀଭୂତ ହେଉଛି। ବଡ଼ ବଡ଼ ଶିଳ୍ପପତିଙ୍କ ଋଣ ଛାଡ଼ ହେଉଥିବା ବେଳେ କୃଷକ, ଶ୍ରମିକ ଓ ଛୋଟ ବ୍ୟବସାୟୀମାନେ ଋଣ ପରିଶୋଧ କରିବାରେ ଅସୁବିଧା ଭୋଗୁଛନ୍ତି। ଯୁବକଙ୍କୁ ନିଯୁକ୍ତି, କୃଷକଙ୍କୁ ନ୍ୟାୟସଙ୍ଗତ ମୂଲ୍ୟ ଓ ଶ୍ରମିକଙ୍କୁ ଅଧିକାର ମିଳିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

- ସମସ୍ତଙ୍କ ପାଇଁ ସମାନ ସୁଯୋଗର ଭାରତ
ରାହୁଲ ଗାନ୍ଧୀ ଶିବଙ୍କ ବାରାତର ଉଦାହରଣ ଦେଇ ଏକ ସମାନତା ଓ ସମାବେଶୀ ଭାରତର କଳ୍ପନା ରଖିଥିଲେ। ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ଥାନ ମିଳେ, କାହାକୁ ବାଦ ଦିଆଯାଏ ନାହିଁ, ସେହିଭଳି ଭାରତ ଗଢ଼ିବା ଆବଶ୍ୟକ ବୋଲି ସେ କହିଥିଲେ। କୃଷକଙ୍କ ପରିଶ୍ରମର ଉଚିତ ମୂଲ୍ୟ, ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ଏବଂ ସାଧାରଣ ଲୋକଙ୍କୁ ନିଜ ସ୍ୱପ୍ନ ପୂରଣର ଅଧିକାର ମିଳିବା ଦରକାର। ଦେଶର ବିମାନବନ୍ଦର, ରେଳବାଇ, ଭିତ୍ତିଭୂମି, ବିଦ୍ୟୁତ୍, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କେତେକ ଶିଳ୍ପପତିଙ୍କ ପ୍ରଭାବ ବଢ଼ୁଥିବା ନେଇ ସେ ଚିନ୍ତା ପ୍ରକାଶ କରିଥିଲେ।



- ଘୃଣା ନୁହେଁ, ପ୍ରେମ ଓ ଭାଇଚାରା ଆମର ରାଜନୀତି
ନିଜ ଅଭିଭାଷଣରେ ରାହୁଲ ଗାନ୍ଧୀ ପ୍ରେମ, ଅହିଂସା ଓ ଭାଇଚାରାର ବାର୍ତ୍ତା ଦେଇଥିଲେ। ନରେନ୍ଦ୍ର ମୋଦୀ, ଅମିତ ଶାହ କିମ୍ବା ଜ୍ଞାନେଶ କୁମାରଙ୍କ ପ୍ରତି ବ୍ୟକ୍ତିଗତ ଘୃଣା ନାହିଁ, କିନ୍ତୁ ଗଣତନ୍ତ୍ର, ସମ୍ବିଧାନ ଓ ଦେଶର ଆତ୍ମା ଉପରେ ଆକ୍ରମଣକୁ ସହ୍ୟ କରାଯିବ ନାହିଁ ବୋଲି ସେ କହିଥିଲେ। ହିନ୍ଦୁ, ମୁସଲମାନ, ଶିଖ୍, ଆଦିବାସୀ, ଦଳିତ, ମହିଳା ଓ ଭିନ୍ନକ୍ଷମଙ୍କ ସମେତ ସମସ୍ତ ନାଗରିକଙ୍କ ଅଧିକାର ଓ ସ୍ୱରକୁ ସମାନ ଭାବରେ ସୁରକ୍ଷା ଦେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ଅଧିକାର ଓ ସ୍ୱରକୁ ସୁରକ୍ଷା ଦେବା ହିଁ ରାଜନୀତିର ପ୍ରକୃତ ଲକ୍ଷ୍ୟ ବୋଲି ସେ କହିଥିଲେ।



- ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ
ଶେଷରେ ରାହୁଲ ଗାନ୍ଧୀ କହିଥିଲେ, ଏହି ଆନ୍ଦୋଳନ କୌଣସି ଗୋଟିଏ ଦଳ କିମ୍ବା ନେତାଙ୍କର ନୁହେଁ। ଏହା ସମଗ୍ର ଭାରତର ଜନସାଧାରଣଙ୍କ ଆନ୍ଦୋଳନ। ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏହି ଲଢ଼େଇ ଜାରି ରହିବ।ଭୋଟରଙ୍କ ଅଧିକାର, ସମ୍ବିଧାନର ସୁରକ୍ଷା, ଯୁବକ-କୃଷକ-ଶ୍ରମିକଙ୍କ ନ୍ୟାୟ ଓ ଘୃଣା ବଦଳରେ ପ୍ରେମ ଓ ଭାଇଚାରା ହେଉଛି ଏହି ଆନ୍ଦୋଳନର ମୁଖ୍ୟ ବାର୍ତ୍ତା।







