Breaking News
17-Feb-2024
ଭୂବନେଶ୍ୱର; ତା ୧୭.୨.୨୪ରିଖ(ଭାପ୍ର): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଆଜି ସ୍ୱତନ୍ତ୍ର ବଜେଟ୍ ଅଧିବେଶନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର ଅଧିବେଶନରେ ୧୦୨୭ କୋଟି ଟଙ୍କାର ବ୍ୟୟ ଅଟକଳ ସର୍ବସମ୍ମତି କ୍ରମେ ପାରିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ବଜେଟ୍ ଆଲୋଚନାରେ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସିଟି ଇଂଜିନିୟର ଶ୍ରୀ ବିଳାସ କୁମାର ବେହେରା, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଲାବଣ୍ୟ ଶବର ମଞ୍ଚାସୀନ ଥିଲେ । ଏହି ଆଲୋନଚାରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା,ସମସ୍ତ କର୍ପୋରେଟର, ବିଏମ୍ସିର ବରିଷ୍ଠ ଅଧିକାରୀ ଓ ଟିମ୍ ବିଏମ୍ସି ଉପସ୍ଥିତ ଥିଲେ ।
ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ କରିବା ପୂର୍ବରୁ ଚିଠା ବଜେଟ୍ର ଏକକିତା ନକଲ ସମସ୍ତ କର୍ପୋରେଟରଙ୍କୁ ତା ୨୫ା୦୧ା୨୦୨୪ ରିଖରେ ପ୍ରଦାନ କରାଯାଇଥିଲା । ସେମାନେ ଦେଇଥିବା
ପ୍ରସ୍ତାବର ଗୁରୁତ୍ୱକୁ ଉପଲବ୍ଧିକରି ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତ କରାଯାଇଛି ।
ବିଏମ୍ସି ଇତିହାସରେ ଏହା ଏକ ସର୍ବକାଳୀନ ରେକର୍ଡ ବଜେଟ୍ । ପୂର୍ବ ଆର୍ଥିକ ବର୍ଷଗୁଡିକରେ କେବେହେଲେ ୧୦୦୦ କୋଟି ଟଙ୍କା ଅତିକ୍ରମ କରିନଥିଲା । ଆଗାମୀ ଆର୍ଥିକ ବର୍ଷରେ ଏହା ୧୦୨୭ କୋଟି ଟଙ୍କାର ଏକ ବଳକା ବଜେଟ୍ ପ୍ରସ୍ତୁତ କରାଯାଇଛି । ଏହା ଏକ ଲୋକାଭିମୁଖୀ ଏବଂ ସବୁ ବର୍ଗର ନାଗରିକଙ୍କୁ ସୁହାଇଲା ଭଳି ବଜେଟ୍ । ଏହି ଜେଟକୁ ବିଏମ୍ସି ବହୁମାତ୍ରାରେ ଗୋଷ୍ଠୀ କଲ୍ୟାଣ ଅଭିମୁଖୀ କରିବାକୁ ପ୍ରୟାସ କରିଛି ବୋଲି କହିଛନ୍ତି ମାନନୀୟା ମେୟର ।
ସାଧାରଣ ନାଗରିକ ବିବାହ, ବ୍ରତ ବା ଶୁଭ କାର୍ଯ୍ୟ ପାଇଁ ଦାମୀ ହୋଟେଲ ବା କଲ୍ୟାଣ ମଣ୍ଡପଟିଏ ନିଜ ବଜେଟ୍ରେ ପାଇପାରୁ ନାହାଁନ୍ତି, ସେହିମାନଙ୍କୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ୧୦ ଗୋଟି କଲ୍ୟାଣ ମଣ୍ଡପ, ସ୍ୱାସ୍ଥ୍ୟ ସେବାକୁ ପରିବ୍ୟାପ୍ତ କରିବା ପାଇଁ ଆଉ ୪ଗୋଟି ଅର୍ବାନ ୱେଲନେସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ କରାଯାଉଛି । ବର୍ଷା ଦିନେ ଲୋକମାନଙ୍କୁ ଆକସ୍ମିକ ବଳବନ୍ଦୀକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ପମ୍ପସେଟ୍ କ୍ରୟ, ଜରୁରୀ କାଳୀନ ପିରସ୍ଥିତି ପାଇଁ ଡିଜି ସେଟ୍ କ୍ରୟ ଆଦି ରହିଛି ବୋଲି ସେ କହିଛନ୍ତି ।
● ସମ୍ମତିକ୍ରମେ ପାରିତ ହେଲା ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍
● ବିଏମ୍ସି ଇତିହାସରେ ସର୍ବକାଳୀନ ରେକର୍ଡ ୧୦୨୭ କୋଟି-ମେୟର
● ପୂର୍ଣ୍ଣାଙ୍ଗ କାର୍ଯ୍ୟ କରିବା ଲକ୍ଷ୍ୟରେ ହୋଇଛି ବଜେଟ୍-କମିଶନର
● ବଜେଟ୍ରେ ନାଗରିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ
ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ୧୦୫.୯୬ କୋଟି, ପରିମଳ ଓ ବର୍ଜ୍ୟ ସଂଗ୍ରହ ପାଇଁ ୧୧୧.୧୯ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ଭୂମି ଅଧିଗ୍ରହଣ ପାଇଁ ୫୦ କୋଟି, ପେଭର ବ୍ଲକ ରାସ୍ତା ନିର୍ମାଣ ପାଇଁ ୯୭.୭୨ କୋଟି, ଡ୍ରେନ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭ କୋଟି, ୱାର୍ଡ ଅଫିସ ନିର୍ମାଣ ପାଇଁ ୨୧ କୋଟି, ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧ କୋଟି ସହ ଯାନବାହାନ କ୍ରୟ, ପାନୀୟ ଜଳ, ଆଲୋକକୀକରଣ ଏବଂ ଅନ୍ୟାନ୍ୟ ମୌଳିକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ୧୫୧୪.୪୫ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରାଯାଇଛି । ଏହା ଏକ ସନ୍ତୁଳିତ ବଜେଟ୍ । ଆଗାମୀ ଦିନରେ ଭୁବନେଶ୍ୱର ମହାନଗର ନିଗମକୁ ସବୁ ଦିଗରୁ ସରସ ସୁନ୍ଦର କରିବା ପାଇଁ ଏହି ବ୍ୟୟ ଅଟଳର କରାଯାଇଛି ।
ତେବେ ଚିଠା ବଜେଟରେ ବ୍ୟୟ ଅଟକଳ ୧୪୯୨.୫୦ କୋଟି ରହିଥିବା ବେଳେ ଆଜିର ବଜେଟରେ ୧୫୧୪.୪୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଦିଗରୁ ହେଉଥିବା ପ୍ରମୁଖ ଆୟ ମଧ୍ୟରେ ରାଜସ୍ୱ ପ୍ରାୟ ୯୧ କୋଟି, ସରକାରୀ ଅନୁଦାନ ବାବଦରେ ୧୨୫ କୋଟି, ମୁକ୍ତା ପାଇଁ ୬୦ କୋଟି, ଡ୍ରେନ ଉନ୍ନତିକରଣ ପାଇଁ ୫୦ କୋଟି, ଜଳାଶୟଗୁଡିକର ଉନ୍ନତିକରଣ ପାଇଁ ୫୦ କୋଟି ଏବଂ ବିଭିନ୍ନ ଟିକସ ବାବଦରେ ୯୨ କୋଟି, ରାଜସ୍ୱ ଆୟ ୨୩୨.୧୨ କୋଟି ଏବଂ ସରକାରୀ ଅନୁଦାନ ବାବଦରେ ୬୩୬ କୋଟିରୁ ଅଧିକ ଟଙ୍କା ଆୟ ଅଟକଳ କରାଯାଇଛି ବୋଲି କହିଛନ୍ତି କମିଶନର ବିଜୟ
ଅମୃତା କୁଲାଙ୍ଗେ ।
ମୋଟାମୋଟି ଭାବେ କହିବାକୁ ଗଲେ, ଆର୍ଥିକ ବର୍ଷ ୨୦୨୩-୨୪ ଶେଷରେ ୬୩୨.୯୬ କୋଟି ଟଙ୍କା ବଳକା ଅର୍ଥ ରହିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ୫୮୧.୨୮ କୋଟି, ପୁଞ୍ଜିଭୁକ୍ତ ଆୟ ୩୦୦ କୋଟି ଏପରି ମୋଟ ୧୫୧୪. ୪୫ କୋଟି ଟଙ୍କା ଆୟ ଆକଳନ କରାଯାଇଛି । ସେହିପରି ରାଜସ୍ୱ ବ୍ୟୟ ୫୮୦.୪୭ କୋଟି, ପୁଞ୍ଜିଭୁକ୍ତ ବ୍ୟୟ ୪୪୭.୦୮ କୋଟି ଏବଂ ବର୍ଷ ଶେଷକୁ ୪୮୬.୯୦ କୋଟି ଟଙ୍କା ବଳକା ଅର୍ଥ ଅଟକଳ କରାଯାଇଛି ।
ଆଜିର ଏହି ସ୍ୱତନ୍ତ୍ର ଅଧିବେଶନରେ କମିଶନର ସ୍ୱାଗତ ଭାଷଣ ଦେଇଥିବା ବେଳେ, ମାନନୀୟା ମେୟର ବଜେଟର ମୁଖ୍ୟାଂଶ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବିତ୍ତଅଧିକାରୀ ଲାବଣ୍ୟ ଶବର ବଜେଟ୍ର ବିସ୍ତୃତ ବିବରଣୀ ପାଠ କରିଥିବା ବେଳେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ପରିଚାଳନା କରିଥିଲେ ।