Breaking News
15-Mar-2024
ଭୁବନେଶ୍ୱର,୧୫.୩.୨୪(ଭାପ୍ର):- ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି । ଶୁକ୍ରବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ଓ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଦଳର ଅନ୍ୟ ବରିଷ୍ଠ ନେତୃବର୍ଗଙ୍କ ଉପସ୍ଥିତିରେ କଂଗ୍ରେସର ସଂକଳ୍ପ ପତ୍ର ଘୋଷଣା କରିଛନ୍ତି । ଏଥିରେ ବିଶେଷ କରି କୃଷି ଓ କୃଷକ, ଶିଳ୍ପ, ମହିଳା, ଯୁବବର୍ଗଙ୍କ ପାଇଁ ନିଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବସ୍ତି ବାସିନ୍ଦା, ଅନୁସୂଚୀତ ଜାତି ଓ ଜନଜାତି ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି ।
ଦଳ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ କୃଷିଋଣ ଛାଡ଼ କରାଯିବ । ଏଥିସହ ଚାଷୀଙ୍କୁ ଧାନ କୁଇଂଟାଲ ପିଛା ୩ହଜାର ଟଙ୍କା ପ୍ରଦାନ କରାଯିବ । ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କୃଷକଙ୍କୁ ମାସିକ ୨୦୦୦ ଟଙ୍କା ଓ ୮୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ୩୦୦୦ ଟଙ୍କା ଭତା ପ୍ରଦାନ କରାଯିବ । ଖରିଫ ଓ ରବି ଋତୁରେ ୭୫% ଜମି ଏବଂ ଗ୍ରୀଷ୍ମ କାଳୀନ ଚାଷ ପାଇଁ ୨୫% ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ । ପ୍ରତି ବ୍ଲକରେ ଶୀତଳଭଣ୍ଡାର ସ୍ଥାପନ, ଧାନକଳ, ଅଟାକଳ, ଡାଲିକଳ, ଶୀତଳୀକରଣ କେନ୍ଦ୍ର ଖୋଲାଯିବ ।
କୃଷକ ପରିବାରର ଆୟ ୫ବର୍ଷରେ ଦୁଇଗୁଣ କରିବା, ପ୍ରତି ଗାଁରେ ଗୋଶାଳା ନିର୍ମାଣ, ଗୋବର ଗ୍ୟାସ ପ୍ଲାଂଟ ପ୍ରତିଷ୍ଠା କରି ଇନ୍ଧନ ଗ୍ୟାସ ଯୋଗାଣ, ଓମ୍ଫେଡ୍ ଦ୍ୱାରା ସମସ୍ତ କ୍ଷୀର ଖର୍ଦ୍ଦି ଏବଂ ରାଜ୍ୟରେ ତିନୋଟି କୃଷି ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଛି । ଏଥିସହ ଜଳପ୍ରକଳ୍ପଗୁଡ଼ିକର ଜଳଧାରଣ କ୍ଷମତା ବୃଦ୍ଧି, ସମସ୍ତ କୃଷି ମୂଲିଆ (୬୦ବର୍ଷରୁ ଊର୍ଦ୍ଧ୍ୱ)ଙ୍କୁ ମାସିକ ୨୦୦୦ ଟଙ୍କା ଭତା, କୃଷିଜାତ ଶିଳ୍ପ ପାଇଁ ୫୦% ପ୍ରତିଶତ ରିହାତିରେ ସୋଲାର ବିଦ୍ୟୁତ୍ ବ୍ୟବସ୍ଥା, ପଶୁପକ୍ଷୀଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ୧୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ୟାରେଂଟି ଦିଆଯାଇଛି ।
ସେହିପରି ରାଜ୍ୟରେ ରୁଗ୍ଣ ଅବସ୍ଥାରେ ଥିବା କୃଷି ସମ୍ପର୍କିତ ଶିଳ୍ପର ପୁନରୁଦ୍ଧାର, ମିଶନ ଶକ୍ତି ଦ୍ୱାରା ପ୍ରତିଷ୍ଠିତ ଶିଳ୍ପକୁ ୫୦ ପ୍ରତିଶତ ରିହାତିରେ ବିଦ୍ୟୁତ୍ ଯୋଗାଣ, ଇସ୍ତାତ, ଆଲୁମିନିୟମ, ପ୍ଲାଷ୍ଟିକ ସାମଗ୍ରୀ ଭିତିକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା, ଔଷଧ କାରଖାନା ଓ ପ୍ରାଣୀଧନ ନିମନ୍ତେ ଆବଶ୍ୟକ ସାମଗ୍ରୀ ପାଇଁ ଖାରଖାନା, ଆଇଓଡାଇଜ୍ ଲୁଣ କାରଖାନା ପ୍ରତିଷ୍ଠା କରାଯିବ । ଗ୍ରାଜୁଏଟ ଋଣ ଗ୍ରହିତାଙ୍କୁ ୨୫ ଲକ୍ଷ ପର୍ଯ୍ୟନ୍ତ ବିନା ବନ୍ଧକରେ ଋଣ ପ୍ରଦାନ, ପ୍ରତ୍ୟେକ ବ୍ଲକରେ ଖାଦ୍ୟ ପ୍ରକ୍ରିୟାକରଣ, କତା ଓ ବାଉଁଶ ଶିଳ୍ପ ପାଇଁ ଭିତିଭୂମି ପ୍ରତିଷ୍ଠା ପାଇଁ ଦଳ ପ୍ରତିଶ୍ରୁତି ଦେଇଛି । ବ୍ୟାଙ୍କ୍ ଅଫ୍ ଓଡ଼ିଶା ପ୍ରତିଷ୍ଠା, କୁଶଳୀ କାରିଗର ଓ ସେମାନଙ୍କ ସନ୍ତାନ ସନ୍ତତିଙ୍କୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ, ଓଡ଼ିଶାର ଉଦ୍ୟୋଗୀଙ୍କ ନିମନ୍ତେ ଷ୍ଟାର୍ଟଅପଗୁଡ଼ିକ ପାଇଁ ସରକାରୀ ଟେଣ୍ଡରରେ ସଂରକ୍ଷଣ ବ୍ୟବସ୍ଥା, ସେମାନଙ୍କୁ ୨୫ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଦେବାକୁ ଘୋଷଣା କରାଯାଇଛି ।
ସେହିପରି ଖଣିଜ ଉତୋଳନ ବେଳେ ପରିବେଶ ଓ ପୁନର୍ବାସ ଯୋଜନାର ଅନୁପାଳନ, ଖଣିଜ ପଦାର୍ଥ ପରିବହନ କ୍ଷେତ୍ରରେ ଓ ଉତୋଳନ ସମୟରେ ଓଡ଼ିଶାର ବ୍ୟବସାୟୀଙ୍କୁ ପ୍ରାଥମିକତା ଦିଆଯିବ । ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଋଣ ଛାଡ଼, ପରିବାରର ମୁଖ୍ୟ ଗୃହିଣୀଙ୍କୁ ମାସିକ ୨୦୦୦ ଟଙ୍କା ଭତା, ୫୦୦ ଟଙ୍କାରେ ମାସକୁ ଗୋଟିଏ ଗ୍ୟାସ ସିଲିଣ୍ଡର ପ୍ରଦାନ, ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ କୌଶଳ ତାଲିମ, ମହିଳା ଶିଳ୍ପ ଉଦ୍ୟୋଗୀଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ସୁଧରେ ଋଣ, ବାର୍ଷିକ ୨ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ୨ଲକ୍ଷ ଟଙ୍କା ସହାୟତା, ସ୍କୁଲ, କଲେଜ, ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କ ନିମନ୍ତେ ୫୦% ସ୍ଥାନ ସଂରଣ କରିବାକୁ ଦଳ ଘୋଷଣା କରିଛି । ଏଥିସହ ୫ଲକ୍ଷ କର୍ମ ନିଯୁକ୍ତି ସୃଷ୍ଟି, ବେକାର ଯୁବକ ଯୁବତୀଙ୍କୁ ମାସିକ ୩୦୦୦ ଟଙ୍କା ଭତା, ପ୍ରତ୍ୟେକ ପଂଚାୟତରେ ୧୦ଜଣ ଶିକ୍ଷିତ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି, ସମସ୍ତ ଖାଲି ପଦବି ପୂରଣ, ସମସ୍ତ ସରକାରୀ ପଦବିରେ ସ୍ଥାୟୀ ନିଯୁକ୍ତି ଦିଆଯିବ ।
ଜାତିଭିତିକ ଜନଗଣନା ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ, ବିଦ୍ୟାଳୟରେ ପୁଷ୍ଟିସାର ପ୍ରାତଃ ଭୋଜନ ଓ ମଧ୍ୟାହ୍ନଭୋଜନ, ୧୦୦୦ ଲୋକ ସଂଖ୍ୟା ବିଶିଷ୍ଟ ଅଂଚଳରେ ଗୋଟିଏ ପ୍ରାଥମିକ ସ୍କୁଲ ଓ ୫୦୦୦ ଲୋକ ସଂଖ୍ୟା ପାଇଁ ଗୋଟିଏ ମାଧ୍ୟମିକ ସ୍କୁଲ ପ୍ରତିଷ୍ଠା କରାଯିବ । ପ୍ରତି ବ୍ଲକରେ ସରକାରୀ ଆଇଟିଆଇ, ପଲିଟେକ୍ନିକ୍ ପ୍ରତିଷ୍ଠା, ସମସ୍ତ ପଂଜିକୃତ ସଂକୀର୍ତନ ମଣ୍ଡଳୀ ଓ ପାଲା ମଣ୍ଡଳୀକୁ ୨୦ହଜାର ଟଙ୍କା, ଦାସକାଠିଆ ମଣ୍ଡଳିକୁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରିବାକୁ ଦଳ ଘୋଷଣା କରିଛି । ଏଥିସହ ପ୍ରତି ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ କରାଯିବ । ସମସ୍ତ ନାଗରିକଙ୍କୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା, ପ୍ରତି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ନର୍ସିଂ କଲେଜ ପ୍ରତିଷ୍ଠା, ପ୍ରତି ମାସରେ ଦୁଇଥର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଜରିଆରେ ବରିଷ୍ଠ ନାଗରିକଙ୍କ ସେବା, ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ ।
ପଂଚାୟତିରାଜ ବ୍ୟବସ୍ଥାକୁ ଦୃଢ଼ କରିବା, ପୂର୍ବତନ ୱାର୍ଡ ମେମ୍ବରମାନଙ୍କୁ ମାସିକ ୫୦୦ ଟଙ୍କା, ପୂର୍ବତନ ସରପଂଚ ଓ ସମିତି ସଭ୍ୟଙ୍କୁ ମାସିକ ୧୦୦୦ ଟଙ୍କା ଓ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସଭ୍ୟାମାନଙ୍କୁ ୨୦୦୦ ଟଙ୍କା ଭତା ପ୍ରଦାନ କରାଯିବ । ପ୍ରତି ଗାଁରେ ପାଠାଗାର ପ୍ରତିଷ୍ଠା କରାଯିବ । ଜାତିଭିତିକ ଜନଗଣନା, ସରକାରୀ ଚାକିରିରେ ପଛୁଆ ବର୍ଗଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ, ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତା ମାସକୁ ୨୦୦୦ କରିବା, ସଂଖ୍ୟାଲଘୁ କମିଶନ, ଏସଟି କମିଶନ ଓ ଏସ୍ସି କମିଶନ ଗଠନ, କ୍ଷମତାକୁ ଆସିବାର ୬ମାସ ମଧ୍ୟରେ ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ପ୍ରତି ବ୍ଲକରେ ଜରା ନିବାସ ପ୍ରତଷ୍ଠା, ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନିର୍ମାଣ ଶ୍ରମିକଙ୍କୁ ୨୦୦୦ ଟଙ୍କା ଭତା ପ୍ରଦାନ କରାଯିବ ।
ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ମାସିକ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଦେୟ ଛାଡ଼ କରାଯିବ । ସେହିପରି ଆଦିବାସୀ, ଦଳିତ, ଅନୁସୂଚୀତ ଜାତି ଓ ଜନଜାତିଙ୍କ ଉପରେ ଥିବା ସମସ୍ତ ଜମିଜମା ମାମଲା ୫ବର୍ଷରୁ ଅଧିକ ବ୍ୟବଧାନ ଥିଲେ ପ୍ରତ୍ୟାହାର କରି ନିଆଯିବ । ‘ପେସା’ ଆଇନର ନିୟମ ପ୍ରଣୟନ ହେବ । ଘରଡିହ ନ ଥିବା ପରିବାରକୁ ଘରଡିହ ପ୍ରଦାନ, ସମସ୍ତ ଆଦିବାସୀ ଗୋଷ୍ଠୀ ଓ ପରିବାରକୁ ଜଙ୍ଗଲ ଜମି ଅଧିକାର ପ୍ରଦାନ, ନିଶାମୁକ୍ତ ଗାଁକୁ ପୁରସ୍କାର ପ୍ରଦାନ ଓ ବର୍ଷକୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିସହ ପଶ୍ଚିମାଂଚଳ ବିକାଶ ପରିଷଦ ଭଳି ଉତରାଂଚଳ ଓ ଦକ୍ଷିଣାଂଚଳ ବିକାଶ ପରିଷଦ ଗଠନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଛି ।
https://youtu.be/E-B0MXk714E?si=0R1T9Zy3sIu6mFyx
✓ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା
✓ ପରିବର୍ତନ ଓ ପ୍ରଗତିର ସନ୍ଦେଶ, କେବଳ କଂଗ୍ରେସ
✓ କୃଷିଋଣ ଛାଡ଼, ଧାନର କ୍ରୟ ମୂଲ୍ୟ ୩୦୦୦ ଟଙ୍କା ଓ କୃଷକଙ୍କୁ ମାସିକ ୨୦୦୦ଟଙ୍କା
✓ ପେନ୍ସନ -ଘରୋଇ ଉପଭୋକ୍ତାଙ୍କୁ ୨୦୦ୟୁନିଟ୍ ବିଦ୍ୟୁତ ଦେୟ ଛାଡ଼
✓ ୫ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି, ମାସିକ ୩୦୦୦ ଟଙ୍କା ବେକାରୀ ଭତା ପ୍ରଦାନ
✓ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଋଣ ଛାଡ଼, ୫୦୦ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ପ୍ରଦାନ, ଘରର ମୁଖ୍ୟ ମହିଳାଙ୍କୁ ମାସିକଭତା୨୦୦୦ ଟଙ୍କା
ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ହେବ ୨୦୦୦ ଟଙ୍କା
✓ ୬ମାସ ମଧ୍ୟରେ ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ପର୍ଯ୍ୟବେକ୍ଷକ ସୁଶ୍ରୀ ମିନାକ୍ଷୀ ନଟରାଜନ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନ୍ଗୋ, ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ଏଆଇସିସି ଗଣମାଧ୍ୟମ ସଂଯୋଜିକା ବବିତା ଶର୍ମା, ବିଧାୟକ ସୁରେଶ କୁମାର ରାଉତରାୟ, ଦାଶରଥୀ ଗମାଙ୍ଗୋ, ଅନନ୍ତ ପ୍ରସାଦ ସେଠୀ, ସେବାଦଲ ଅଧ୍ୟକ୍ଷ ଆର୍ୟ୍ଯ କୁମାର ଜ୍ଞାନେନ୍ଦ୍ର,କଟକ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ମହାପାତ୍ର,ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅମିୟ ପାଣ୍ଡବ,ରିସର୍ଚ୍ଚ କମିଟି ଅଧ୍ୟକ୍ଷ ରଜନୀ କୁମାର ମହାନ୍ତି, ମିଡିଆ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶଜିତ ଦାସ, ପ୍ରଶାନ୍ତ ଶତପଥୀ, ବିଜୟଲକ୍ଷ୍ମୀ ସାହୁ, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ସସ୍ମିତା ବେହେରା, କିଶୋର ଜେନା, ସୁବ୍ରତ ମହାପାତ୍ର, ଅମୀୟ ପଟ୍ଟନାୟକ, ଜିନେଶ ଦାସ, ରଶ୍ମି ମହାପାତ୍ର, ଅନୁସୂଚିତ ଜାତି ବାଙ୍କନିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।