Breaking News
09-Mar-2024
ଭୁବନେଶ୍ୱର,୯.୩.୨୪(ଭାପ୍ର) : ଆସନ୍ତା ନିର୍ବାଚନରେ ବିଜେପି-ବିଜେଡି ମଧ୍ୟରେ ଓଡିଶାରେ ମେଣ୍ଟ ହେବ ବୋଲି ଗଣମାଧ୍ୟମ ଠାରୁ ଆରମ୍ବ କରି ସହର ଏବଂ ଗାଁ ଗହଳ ଯର୍ପ୍ୟନ୍ତ ଜୋରଦାର ଚର୍ଚ୍ଚା ଚାଲିଛି। ମେଣ୍ଟ ଖବର ଉଭୟ ଦଳ ବିଜେଡି ଓ ବିଜେପିର ବହୁ ନେତାଙ୍କର ହୃତକମ୍ପନ ବଢ଼ାଇ ଦେଇଛି ଏବଂ କିଛି ନେତାଙ୍କ ରକ୍ତଚାପ ବଢିଯାଇଛି । ଏମାନେ ନିଜର ମର୍ମ ବେଦନା କାହାକୁ କହିପାରୁ ନାହାନ୍ତି କିମ୍ବା ସହି ବି ପାରୁନାହାନ୍ତି ।
ଆସନ୍ତା ନିର୍ବାଚନ ପାଇଁ ପୂର୍ବରୁ ବିଜେଡି ୧୪୭ଟି ଯାକ ବିଧାନସଭା ସହିତ ୨୧ଟି ଯାକ ଲୋକସଭା ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ପ୍ରସ୍ତୁତି ପର୍ବ ଚଳାଇ ଆସୁଥିଲା । ଅନ୍ୟ ପକ୍ଷରେ ବିଜେପି ମଧ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଛିଡା କରାଇବାକୁ ବାରମ୍ବାର ଘୋଷଣା କରିଆସିଛି । ଏମିତିକି ବିଜେଡି ପକ୍ଷରୁ କୁହାଯାଉଥିଲା ଏକାକୀ ନିର୍ବାଚନ ଲଢି ଏହି ଦଳ ବିଧାନସଭାରେ ପ୍ରାୟ ୧୩୦ଟି ଓ ଲୋକସଭାରେ ୨୦ଟି ପର୍ଯ୍ୟନ୍ତ ଆସନ ପାଇ ରେକର୍ଡ ସୃଷ୍ଟି କରିବ ବୋଲି । ବିଜେପି ପକ୍ଷରୁ ମଧ୍ୟ କୁହାଯାଉଥିଲା କି ଯେ ଏଥର ଦଳ ୧୨୦ରୁ ଅଧିକ ଆସନ ପାଇ ରାଜ୍ୟରେ ସରକାର ଗଢିବା ସହ ଦିଲ୍ଲୀକୁ ୧୮ ଜଣ ଲୋକସଭା ସାଂସଦ ପଠାଇବ ।
ଏହି ଲକ୍ଷ୍ୟ ରଖି ଉଭୟ ଦଳ ତୃଣମୂଳ ସ୍ତରରୁ ନିଜ ନିଜର ସଂଗଠନକୁ ସୁଦୃଢ କରୁଥିଲେ। ଉଭୟ ଦଳରେ ବି ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢି ଚାଲିଛି ।କଂଗ୍ରେସ ପ୍ରଗମନ ଜରିଆରେ ପ୍ରାୟ ୫୦୦୦ ଆଶାୟୀ ପାର୍ଥି ଲୋକସଭା ଓ ବିଧାନସଭା ଟିକେଟ ଆବେଦନ କରିଛନ୍ତି ବୋଲି କହିବା ପରେ ବିଜେଡ଼ି ର ସାଧାରଣ ସଂଗଠନ ସମ୍ପାଦକ ମଧ୍ୟ ବିଜେଡି ରୁ ୧୦୦୦୦ ରୁ ଉର୍ଦ୍ଧ୍ବ ଲୋକସଭା ଓ ବିଧାନସଭା ପାଇଁ ବିଜେଡି ଟିକେଟ ଆବେଦନ କରିଛନ୍ତି ବୋଲି କହିଲେ। ଏଥିରୁ ଜଣାପଡୁଛି କି ବିଜେଡି ରେ ବହୁ ଆଶାୟୀ ଅଛନ୍ତି ।
ଏମିତିକି ଯେଉଁମାନଙ୍କର ନିଜ ଦଳରୁ ଟିକଟ ପାଇବାର ସମ୍ଭାବନା ନାହିଁ ସେମାନେ ଅନ୍ୟ ଦଳକୁ ଡଆଁ ମାରିଛନ୍ତି । କଂଗ୍ରେସରୁ ବିଜେପି ଓ ବିଜେଡିକୁ କମ୍ ସଂଖ୍ୟକ ନେତା ଆସିଥିବାବେଳେ ବିଜେଡିରୁ ବିଜେପିକୁ ବହୁ ବଡ଼ ନେତା ଯୋଗ ଦେଉଛନ୍ତି। ବର୍ତ୍ତମାନ ବିଜେଡି ଦଳରୁ ଡେଉଁଥିବା ନେତାମାନଙ୍କ ସଂଖ୍ୟା କିନ୍ତୁ ଢେର ଅଧିକ । ନିର୍ବାଚନୀ ମେଣ୍ଟ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନଥିଲେ ମଧ୍ୟ ଆଉ ବିଜେପି ଓ ବିଜେଡିର ନେତାମାନେ କିଛିଦିନ ହେବ ଗଣମାଧ୍ୟମରେ ପରସ୍ପର ଉପରେ ଆକ୍ରମଣ ଓ ପ୍ରତିଆକ୍ରମଣ କରୁନାହାନ୍ତି । ଏବେ ବହୁ ଦଳଡିଆଁ ନେତା ଆଶଙ୍କା କରୁଛନ୍ତି ଯେ ମେଣ୍ଟ ହେଲେ ସେମାନଙ୍କ ଟିକଟ ପାଇବା ସମ୍ଭାବନା ବହୁତ କମ୍ । ସେହିଭଳି ଉଭୟ ବିଜେଡି ଓ ବିଜେପି ସବୁ ନିର୍ବାଚନମଣ୍ଡଳୀକୁ ଆଖି ଆଗରେ ରଖି ପ୍ରସ୍ତୁତିପର୍ବ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇଥିବାବେଳେ ଯେଉଁମାନେ ଟିକଟ ଆଶାୟୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଦ୍ୱନ୍ଦରେ ।
ଯଦି ବିଜେଡି ଓ ବିଜେପି ମଧ୍ୟରେ ପୁର୍ନବାର ଆସନ ବୁଝାମଣା ହୁଏ ତେବେ ଉଭୟ ଦଳର କେତେକ ବିଧାୟକ ଓ ମନ୍ତ୍ରୀଙ୍କୁ ଦଳୀୟ ଟିକଟ ବି ନମିଳିପାରେ । ଏହାଛଡା ତୃଣମୂଳ ସ୍ତରରେ ଦୁଇ ଦଳର କର୍ମୀମାନେ କୋରାପୁଟ ଠୁଁ ଆରମ୍ବ କରି କଳାହାଣ୍ଡିରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ଯେଭଳି ମୁହାଁମୁହିଁ ସ୍ଥିତିରେ ଅଛନ୍ତି ସେ କ୍ଷେତ୍ରରେ ବିଜେଡି କର୍ମୀ କିଭଳି ବିଜେପି ପତାକା ଧରିବେ ଓ ବିଜେପି କର୍ମୀ କିଭଳି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ସେଥି ନେଇ ବି ଦ୍ୱନ୍ଦ ଲାଗି ରହିଛି । ତେବେ ଉଭୟ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସଂଖ୍ୟାଧିକ ନେତା ଓ କର୍ମୀ ଶେଷରେ ମାନିନେବାକୁ ବାଧ୍ୟ ହେବେ ।
ଅତୀତରେ ୨୦୦୦ ଓ ୨୦୦୪ର ବିଧାନସଭା ନିର୍ବାଚନରେ ଏବଂ ତାହା ପୂର୍ବରୁ ଲୋକସଭା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ନିର୍ବାଚନ ଲଢିଥିଲା । ସେତେବେଳେ କେତେକ ବିଧାନସଭା ନିର୍ବାଚନମଣ୍ଡଳୀରେ ମେଣ୍ଟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଅନେକ ସ୍ଥାନରେ ଦଳୀୟ ବିଦ୍ରୋହୀମାନେ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢି ଜିଣିଥିଲେ ।କିନ୍ତୁ କଥାରେ ଅଛି ସେ କାଳ ପଖାଳ ନାହିଁ ଯାହା ଏବେ ଉଭୟ ଦଳରେ ଦେଖାଦେଇଛି। ୨୦୦୦ ପରି ପରିସ୍ଥିତି ୨୦୨୪ ରେ ନାହିଁ। ବର୍ତ୍ତମାନ କିଛିଦିନ ଧରି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବଂଧୁମିଳନ କରି ଶକ୍ତି ପଦର୍ଶନ କରୁଛନ୍ତି ଉଭୟ ଦଳର ନେତୃବୃନ୍ଦ।ଏଥର ଯଦି ମେଣ୍ଟ ହୁଏ ତେବେ ଏହି ଦୁଇ ଦଳର ବହୁ ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି ।
ତେବେ ନିର୍ବାଚନ ତାରିଖ ଘୋଷଣା ସମୟ ପାଖେଇ ଆସୁଥିବାବେଳେ ଭୁବନେଶ୍ୱରରେ ବିଜେଡି ନେତାମାନଙ୍କ ବୈଠକ ଓ ଦିଲ୍ଲୀରେ ବିଜେପି ନେତାମାନଙ୍କ ବୈଠକ ହୋଇଥିବା ପରିପ୍ରେକ୍ଷୀରେ ଉଭୟ ଦଳର ଟିକଟ ପ୍ରତ୍ୟାଷୀ ବହୁ ନେତାଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ଘେନି ବ୍ୟାପକ ଚର୍ଚ୍ଚା ଚାଲିଛି।
ସ୍ୱତନ୍ତ୍ର ପ୍ରତିନିଧି