Breaking News
08-Mar-2024
ଭୁବନେଶ୍ବର,୮.୩.୨୪(ଭାପ୍ର):-
ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବାର ଆଲୋଚନା ହୋଇଚି ବୋଲି ଉଭୟ ଦଳର ବରିଷ୍ଠ ନେତୃବୃନ୍ଦ ସ୍ୱୀକାର କରିଛନ୍ତି।
ରାଜ୍ୟରେ ଅଘୋଷିତ ମେଣ୍ଟ ଥିବା କଂଗ୍ରେସ ଦୀର୍ଘ ଦିନରୁ ଅଭିଯୋଗ କରି ଆସୁଥିଲା।କଂଗ୍ରେସ ଦଳର ରାଜ୍ୟ ପ୍ରଭାରୀ ଡ଼ ଅଜୟ କୁମାରଙ୍କ ଠୁଁ ଆରମ୍ଭ କରି ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତୃତ୍ବମାନେ ଓ ତୃଣମୂଳ ସ୍ତରର କର୍ମୀ ଏ ପର୍ଯ୍ୟନ୍ତ ବିଭିନ୍ନ ପ୍ଲାଟଫର୍ମରେ ଏ କଥାକୁ ବାରମ୍ବାର କହି ଆସୁଛନ୍ତି। ବିଜେଡି ଓ ବିଜେପି ଏକ ଆଉ ଅଭିନ୍ନ। ଏକ ମୁଦ୍ରାର ଉଭୟ ପାର୍ଶ୍ଵ।ରାଜ୍ୟ ରାଜଧାନୀରେ କଳି ଏବଂ ଦେଶର ରାଜଧାନୀରେ କୋଳାକୋଳି ଇତ୍ୟାଦି ବିଜେଡି ଓ ବିଜେପି କୁ କହି ଘେରୁଥିଲା କଂଗ୍ରେସ।
ତାହା ଆଜି ପ୍ରମାଣିତ ହୋଇଛି ବୋଲି କଂଗ୍ରେସ ଦାବି କରିଛି।ରାଜ୍ୟବାସୀଙ୍କୁ ବିଜେଡି ଓ ବିଜେପି ଭିତିରି ସମ୍ପର୍କର ପରଦାଫାସ କରିଥିଲା କଂଗ୍ରେସ।ରାଜ୍ୟର ଯୁବ ଓ ଛାତ୍ର କଂଗ୍ରେସ ଉଭୟଙ୍କ ମଧ୍ୟରେ ପ୍ରତୀକାତ୍ମକ ବିଭାଘର କରାଇଥିଲେ।ଯେଉଁଥିରେ କି ଓଡିଶା ପ୍ରଭାରୀ ଡ଼ କୁମାର,ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,କଟକ ଜିଲ୍ଲା ସଭାପତି ମାନସ ରଞ୍ଜନ ଚୌଧୁରୀ,ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ,ଛାତ୍ର ସଭାପତି ୟାଶୀର ନୱାଜ, ଯୁବ ସଭାପତି ରଞ୍ଜିତ ପାତ୍ର ପ୍ରମୁଖ ଯୋଗ ଦେଇ ବିଜେଡି ଓ ବିଜେପି ମଧ୍ୟରେ ପ୍ରତୀକାତ୍ମକ ବିଭାଘର କରାଇଥିଲେ।ସେହିପରି ଜିଲ୍ଲାସ୍ତରରେ,ବ୍ଲକ ସ୍ତରରେ ବିଜେପି-ବିଜେଡିର ବାହାଘର କରାଇଥିଲା କଂଗ୍ରେସ ।
ଏପରିକି କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ଥିବା ବ୍ୟକ୍ତିମାନଙ୍କୁ ଦିଆଯାଇଥିବା ୧୧ ମାନ ଦଣ୍ଡ ମଧ୍ୟରେ ବିଜେପି-ବିଜେଡି ବାହାଘର ପୂରଣ କରିବାକୁ ସର୍ତ୍ତ ରଖାଯାଇଥିଲା। ସେହି ଅନୁସାରେ ଆଶାୟୀ ସାଂସଦ ଓ ବିଧାୟକ ପାର୍ଥି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ତଦନୁଯାୟୀ ବିଜେଡି ଓ ବିଜେଡି ମଧ୍ୟରେ ବିଭାଘର କରାଇଥିଲେ।
ଏବେ ଦୁଇ ଦଳ ବିଜେଡି ଓ ବିଜେପି ମଧ୍ୟରେ ହେବାକୁ ଥିବା ମେଣ୍ଟ ଚର୍ଚ୍ଚା କୁ ନେଇ କଂଗ୍ରେସ ଆଉ ଦୁଇପାଦ ଆଗକୁ ଯାଇଛି।ଦୁଇ ଦଳ ମଧ୍ୟରେ କଂଗ୍ରେସ କରାଇଥିବା ବାହାଘରର ଅନ୍ନପ୍ରାଶନ କରିବାକୁ ଘୋଷଣା କରିଛି ରାଜ୍ୟ କଂଗ୍ରେସ ।ଚଳିତ ମାସ ମାର୍ଚ୍ଚ ୧୧ ତାରିଖରେ ଅନ୍ନପ୍ରାସନ କାର୍ଯ୍ୟକ୍ରମ କରିବାକୁ ଦିନ ଧାର୍ଯ୍ୟ କରିଛି କଂଗ୍ରେସ।ଦୁଇ ଦଳ ଭାଗୀଦାରିରୁ ଚିଟଫଣ୍ଡ ଦୁର୍ନୀତି,ଖଣି ଦୁର୍ନୀତି,ନାରୀ ନିର୍ଯ୍ୟାତନା,ତାମିଲ ଠିକାଦାର,ଟାଟା ପାୱାର ର ଶୋଷଣ,ଦରଦାମ ବୃଦ୍ଧି,ଚୋରା ମଦ କାରବାର,ଚାକିରି ବିକିରି,ଦାଦାନ ସମସ୍ୟା,ଦଳିତ - ଆଦିବାସୀ ଶୋଷଣ ଇତ୍ୟାଦି ଜନ୍ମ ନେଇଥିବା ଅଭିଯୋଗ କରି ପ୍ରତୀକାତ୍ମକ ଅନ୍ନପ୍ରାଶନ କରିବ ବୋଲି ରାଜ୍ୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅମୀୟ ପାଣ୍ଡବ କହିଛନ୍ତି।ସେ କହିଛନ୍ତି କି ବିଜେପି-ବିଜେଡି ନିଜର ସଂପର୍କକୁ ଲୁଚାଉଥିଲେ |କଂଗ୍ରେସ ଯାହା ଅଭିଯୋଗ କରିଥିଲା ତାହା ଏବେ ସାମ୍ନାକୁ ଆସିଲା| ଉଭୟ ଦଳ ପାଇଁ ଓଡ଼ିଶାରେ ଯେତେସବୁ ଦୁର୍ନୀତିରୂପକ ସନ୍ତାନ ସନ୍ତତି ଜନ୍ମ ନେଇଛନ୍ତି ସେମାନଙ୍କୁ ଲୋକଲୋଚନକୁ ଅଣାଯିବ। ଏଥିପାଇଁ ଚଳିତ ମାସ ମାର୍ଚ୍ଚ ୧୧ରେ ଅନ୍ନପ୍ରାଶନ କାର୍ଯ୍ୟକ୍ରମ କରାଯାଇ ଜନଜାଗରଣ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି।
ଏଥିନେଇ ଆଜିଠୁଁ ନିମନ୍ତ୍ରଣ ପତ୍ର ବାଣ୍ଟି ଅନ୍ନପ୍ରାସନ କାର୍ଯ୍ୟକ୍ରମ ରେ ବିପୁଳ ସଂଖ୍ୟାରେ ଯୋଗଦେବା ପାଇଁ ଅନୁରୋଧ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି।ଏହି ଅନ୍ନପ୍ରାସନ କାର୍ଯ୍ୟକ୍ରମ ସାମାଜିକ ରୀତିନୀତି ଅନୁସାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପାଳନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି।