Breaking News
06-Mar-2024
ଭୁବନେଶ୍ୱର, ୬.୩.୨୪(ଭାପ୍ର) :- ରାଜ୍ୟର ସମାବେଶୀ ବିକାଶର ଶ୍ରେୟ କେବଳ କଂଗ୍ରେସର । ଦୀର୍ଘମିଆଦି ସୂତ୍ରରେ ଯାହା ସବୁ ରାଜ୍ୟରେ ବିକାଶ ହୋଇଛି, ତାହା କଂଗ୍ରେସ ସମୟରେ ହୋଇଛି । ସେମିତି କିଛି ନ କରି କେବଳ ଶ୍ରେୟ ପାଇଁ ଉଭୟ ମୋଦି ଓ ନବୀନ ଯେପରି ମିଥ୍ୟାର ଆଶ୍ରୟ ନେଇ ଆତ୍ମପ୍ରଚାର କରୁଛନ୍ତି, ତାହା ଜନସାଧାରଣଙ୍କୁ ଅଜଣା ଓ ଅଛପା ନାହିଁ ।
ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ବିଜେପି ଓ ବିଜେଡିର ସମ୍ପର୍କ କ’ଣ ତାହା ରାଜ୍ୟବାସୀ ଜାଣିଛନ୍ତି । ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ପାରାଦୀପ ତୈଳ ବିଶୋଧନାଗାର ରିଫେନାରୀ ପ୍ରକଳ୍ପ ପ୍ରସଙ୍ଗରେ ଯେଉଁ ସବୁ ଅସତ୍ୟ କଥା କହିଛନ୍ତି ତାହାକୁ ଶ୍ରୀ ପଟ୍ଟନାୟକ ଦୃଢ ନିନ୍ଦା କରିଛନ୍ତି ।
ସେ କହିଥିଲେ ଯେ ଏହି ପ୍ରକଳ୍ପ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ସମୟରେ ଆରମ୍ଭ କରାଯାଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୩ ହଜାର ଏକର ଜମି ଅଧିଗ୍ରହଣ କରାଯାଇଥିବାବେଳେ ୟୁପିଏ ସରକାର ଉକ୍ତ ପ୍ରକଳ୍ପ କାର୍ଯ୍ୟ ପାଇଁ ୩୫ ହଜାର କୋଟି ଟଙ୍କା ପ୍ରାବଧାନ କରିଥିଲେ । ତେବେ ବର୍ତମାନ ଏହି ପ୍ରକଳ୍ପର ଶ୍ରେୟ ଉଭୟ ବିଜେପି ଓ ବିଜେଡି ନେବାକୁ ଯେଉଁ କସରତ ଆରମ୍ଭ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟରେ ନବୀନ ବାବୁଙ୍କ ସରକାର ଚିଟ୍ଫଣ୍ଡ, ମାଇନିଂ ଓ ଜମିଦୁର୍ନୀତିରେ ବୁଡ଼ି ରହିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଘଂଟ ଘୋଡ଼ାଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ପାରାଦୀପ ବିଶୋଧନାଗାର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସମୟରେ ନିଷ୍ପତି ହୋଇଥିଲା । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଜମି ଅଧିଗ୍ରହଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ କାର୍ଯ୍ୟକାରୀ କରିଥିଲେ । ୨୦୦୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ ଓ ୨୦୦୩ ମସିହା ସୁଦ୍ଧା ତାହା ସାରିବାକୁ କୁହାଯାଇଥିଲେ ମଧ୍ୟ ତାହା ଆରମ୍ଭ ହୋଇ ପାରିନଥିଲା ।
୨୦୦୪ ମସିହାରେ ୟୁପିଏ ସରକାରଙ୍କ ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ଆର୍ଥିକ ପ୍ରାବଧାନ କରିଥିଲେ ଓ ୨୦୧୩ ମସିହା ଶେଷ ବେଳକୁ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇଯିବା କାରଣରୁ ଏହାକୁ ଲୋକାର୍ପଣ କରାଯାଇ ପାରିନଥିଲା । ୨୦୧୪ ମସିହାରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ପାରାଦୀପ ତୈଳ ବିଶୋଧନାଗାରର ଲୋକାର୍ପଣ କରି ବାହାବା ନେଇଥିଲେ । ଶ୍ରେୟ କାହାର, ଦାବି କରୁଛି କିଏ ? ପ୍ରସଙ୍ଗରେ ଶ୍ରୀ ହରିଚନ୍ଦନ କହିଥିଲେ ଯେ ‘ପର ବଦଳ ପର ଶିଂଗା/ ତାକୁ ବୁହାଏ ନରସିଂହା’ । ପାରାଦ୍ୱୀପ ରିଫାଇନାରୀ ପ୍ରକଳ୍ପ ପ୍ରସଙ୍ଗରେ ଶ୍ରେୟ ଯଦି କାହାକୁ ଯାଏ ତେବେ ତାହା ବିସ୍ତାପିତଙ୍କ ଖାତାକୁ ଯିବା ଶ୍ରେୟସ୍କର ।
● କଂଗ୍ରେସ ସରକାର ସମୟରେ ପାରାଦୀପ ରିଫେନାରୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା
● ୟୁପିଏ ସରକାର ପ୍ରକଳ୍ପ ପାଇଁ ୩୫ ହଜାର କୋଟି ଟଙ୍କାର ପ୍ରାବଧାନ କରିଥିଲେ
● ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୩ହଜାର ଏକର ଜମି ଅଧିଗ୍ରହଣ କରାଯାଇଥିଲା
● ଶ୍ରେୟ କାହାର, ଦାବି କରୁଛି କିଏ ?
କଂଗ୍ରେସ ରାଜ୍ୟ ତଥା ଦେଶ ବିକାଶରେ ଅସଲି ବିନ୍ଧାଣୀ ହୋଇଥିଲାବେଳେ ବିଜେପି ଓ ବିଜେଡି ଶ୍ରେୟ ନେବା ପାଇଁ ଟଣାଓଟରା ହେବା ଦୁର୍ଭାଗ୍ୟଜନକ । କଂଗ୍ରେସ ବସାଇଥିବା ପାରାଦୀପ ଫସ୍ଫେଟ୍କୁ ଘରୋଇ କଂପାନୀକୁ ବିକିଦେବା, ଆଇଓସିଏଲକୁ ନିଜର ବୋଲି କହିବା ମୋଦିଜୀଙ୍କ କେଉଁ କଳା ବୋଲି ଶ୍ରୀ ହରିଚନ୍ଦନ କହିଥିଲେ । ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳି ବଜାଇ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଥିବା ଘଟଣା ପ୍ରମାଣିତ କରୁଛି ଉଭୟ ଉଭୟଙ୍କ ପାଇଁ କେତେ ସମର୍ପ୍ରିତ ତାହା ରାଜ୍ୟବାସୀ ବୁଝିସାରିଲାଣି ଓ ଆଗାମୀ ନିର୍ବାଚନରେ ତାହାର ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।
ସେହିପରି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ରାଜ୍ୟରେ ଚିଟ୍ଫଣ୍ଡ ଓ ଖଣି ଦୁର୍ନୀତି ପ୍ରସଙ୍ଗରେ କହିଥିଲେ ଯେ ଆଉ କେତେ ବର୍ଷ ପରେ ସିବିଆଇ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ବୋଳି ପ୍ରଶ୍ନ କରିଥିଲେ । ନବୀନ ପ୍ରତି ତାଙ୍କର ଅହେତୁକ ଅନୁକମ୍ପାର କାରଣ କ’ଣ ? ବର୍ତମାନ ମୋଦି ଗ୍ୟାରେଂଟି କଥା କହୁଥିବାବେଳେ ପୂର୍ବରୁ ଦେଇଥିବା ଗ୍ୟାରେଂଟିଗୁଡ଼ିକ କେତେ ପୂରଣ କରିଛନ୍ତି । ବର୍ଷକୁ ଦୁଇକୋଟି ଚାକିରି ଦେବା, କଳାଧନ ଫେରାଇ ଆଣିବା ଓ ୧୫ ଲକ୍ଷ ଟଙ୍କା ପ୍ରତି ଖାତାକୁ ଦେବା ଗ୍ୟାରେଂଟି କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନ-ମୋଦି ଏକାଠି, ୨୦୨୪ରେ ଲୋକେ ତାଙ୍କୁ ଉଚିତ ଜବାବ ଦେବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସମ୍ପାଦକ ଶରତ ରାଉତ କହିଲେ ଯେ ଦେଶ ଓ ରାଜ୍ୟ ନିର୍ମାଣରେ କଂଗ୍ରେସର ଭୂମିକା ଅନନ୍ୟ । ମୋଦି ଓ ନବୀନ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍, ଏମାନେ ମିଳିମିଶି ଦେଶ ଓ ରାଜ୍ୟକୁ ଲୁଟୁଛନ୍ତି ।