Breaking News
03-Mar-2024
ଭୁବନେଶ୍ୱର,୩.୩.୨୪(ଭାପ୍ର):-ଆଉ ଦିନ କେଇଟା ପରେ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବ।ରାଜ୍ୟର ପ୍ରମୁଖ ତିନିଦଳ ବିଜେଡି, ବିଜେପି ଓ କଂଗ୍ରେସ ର ନେତୃବୃନ୍ଦ ଦଳୀୟ ଟିକେଟ ପାଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି।ବିଶେଷ କରି ରାଜ୍ୟରେ ବିଜେଡି ଟିକେଟ ପାଇଁ ଦଳୀୟ ନେତୃବୃନ୍ଦ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।କିଏ କର୍ମୀ ସମ୍ମିଳନୀ କରୁଛି ତ କିଏ ସର୍ବୋଚ୍ଚ ନେତାଙ୍କ ଘର ଚକର କାଟୁଛି।କିନ୍ତୁ ଭୁବନେଶ୍ୱର ରେ ତିନି ବିଧାନସଭା ଏକାମ୍ର,ମଧ୍ୟ,ଉତର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବିଜେଡି ସଂଗଠନ ଗୋଳିଆ ହେବାରେ ଲାଗିଛି।ଏଠାରେ ବଂଧୁମିଳନ ଆଳରେ ଯିଏ ଯାହାର ଶକ୍ତି ପଦର୍ଶନ କରି ବିଧାୟକ ଟିକେଟ ଦାବିଦାର ପାଇଁ ଚେଷ୍ଟା ଚଳାଇଛନ୍ତି।
କିଛି ଦିନ ତଳେ ଉତର ବିଧାୟକ ସୁଶାନ୍ତ ରାଉତ ଙ୍କ ବିରୁଦ୍ଧରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏକ ବଂଧୁମିଳନ କରି ଶକ୍ତି ପଦର୍ଶନ କରିଛନ୍ତି।ସେହିପରି ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା ବିଧାୟକ ଅନନ୍ତ ନାରାୟଣ ଜେନା,ମେୟର ସୁଲୋଚନା ଦାଶ ଏବଂ ଅନ୍ୟମାନଙ୍କୁ ନେଇ ଏକ ମହିଳା ସମାବେଶ କରିଥିବା ବେଳେ ସମାନ୍ତରାଳ ଭାବେ ଭୁବନେଶ୍ୱର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ଲଗାତାର ଚାରିଥରର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର(ଲିଟୁ) ଏକାମ୍ରର ଗଙ୍ଗୁଆ ନଦୀ କୂଳରେ ଏକ ବଂଧୁମିଳନ ଆୟୋଜନ କରି ଶକ୍ତି ପଦର୍ଶନ କରିଥିଲେ।ଏହି ବଂଧୁମିଳନ ରେ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା।
ଅନୁରୂପ ଭାବେ ଆଜି ରବିବାର ବିଜେଡିର ଯୁବନେତା ତଥା ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଲୋକପ୍ରିୟ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଏକ ବନ୍ଧୁ ମିଳନ ଆୟୋଜନ କରିଥିଲେ ।
ମୁଖ୍ୟମନ୍ତ୍ରୀ ‘ନୂତନ ଓଡ଼ିଶା’ ଗଠନ ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଗାଁ-ଗଣ୍ଡାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ବିକାଶ କରିବାକୁ ନୂଆ ନୂଆ ଯୋଜନା କରୁଛନ୍ତି । ହେଲେ କିଛି ନ୍ୟାସ୍ତସ୍ୱାର୍ଥ ନେତା ଏଥିରେ ବାଧକ ସାଜୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଠା କରୁଥିବା ଲୋକଙ୍କ ଗୋଡ ଟାଣୁଛନ୍ତି । ତେବେ ଏଣିକି ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ତଥା ବିକାଶରେ ବାଧକ ସାଜିବେ, ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ବାଇଁଆ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସେ ତାଙ୍କ ବକ୍ତବ୍ୟରେ କହିଥିଲେ, ମୁଁ ଛାତ୍ର ଜୀବନରୁ ରାଜନୀତିକୁ ଆସିଛି । ରାଜନୀତି କରି କ୍ଷମତାକୁ ଉପଭୋଗ କରିବା କିମ୍ବା ଲୋକଙ୍କ ଟଙ୍କାରେ ବ୍ୟାଙ୍କ ବାଲାନ୍ସ କରିବା ମୋର ଉର୍ଦ୍ଦେଶ୍ୟ ନୁହେଁ । ଲୋକମାନେ କିପରି ସାହାଯ୍ୟ-ସହଯୋଗ ପାଇବେ, ସରକାରୀ ଯୋଜନା ତାଙ୍କ ପାଖରେ ପହଞ୍ଚିବ ଓ ବିକାଶ କିପରି ସଠିକ ଢଙ୍ଗରେ ହୋଇପାରିବ, ଏହା ହିଁ ମୋର ମୂଳ ଉଦ୍ଦେଶ୍ୟ ।
ଦୀର୍ଘ ୨୫ବର୍ଷ ହେଲା ମୁଁ ଗୁଣ୍ଡୁଚି ମୂଷା ଭଳି ଲୋକଙ୍କ ସେବା କରି ଆସୁଛି । ଆଗକୁ ମଧ୍ୟ ସେବା କରିବି । ହେଲେ କିଛି ଲୋକ ମୋ ସେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିକାଶ କରିବାକୁ ଚେଷ୍ଠା କଲେ, ସେମାନେ ଆମ ଗୋଡ ଟାଣୁଛନ୍ତି । ସେଇମାନଙ୍କୁ ଏହି ମଞ୍ଚରୁ ମୁଁ ଚେତାବନୀ ଦେଉଛି କି, ଏଭଳି ହୀନ କାର୍ଯ୍ୟରୁ ଦୂରେଇ ରୁହ, ନଚେତ ଏହାର ପରିଣାମ ଭୋଗିବ । ମୁଖ୍ୟମନ୍ତ୍ରୀ ଓ ୫ଟି-ଅଧ୍ୟକ୍ଷ ଓଡ଼ିଶାକୁ ନେଇ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାକୁ ଆମେ ସମସ୍ତେ ମିଳିମିଶି ପୂରଣ କରିବାକୁ ସଂକଳ୍ପ ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତି କହିଥିଲେ, ଦେଶ ତଥା ରାଜ୍ୟକୁ ବିକାଶ କରିବାକୁ ହେଲେ ଆମକୁ ଉଦୟମାନ ଯୁବନେତୃତ୍ୱର ଆବଶ୍ୟକତା ରହିଛି । ଦୌଡି ପାରୁଥିବା ଘୋଡାକୁ ରେସ୍ରେ ସାମିଲ କରାଯିବା ଉଚିତ, ଛୋଟା ଘୋଡାକୁ ନୁହେଁ । ଏହି କ୍ରମରେ ଭୁବନେଶ୍ୱର ମଧ୍ୟ ଆସନ ଲାଗି ବାଇଁଆ ହିଁ ଆମ ପାଇଁ ଏକମାତ୍ର ବିକଳ୍ପ । ତେଣୁ ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ ନୂଆ ସଂକଳ୍ପ ନେଇ ବାଇଁଆକୁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଏହି କାଯ୍ୟକ୍ରମରେ କର୍ପୋରେଟର ଲିଟୁ ମହାସୁପକାରଙ୍କ ସମେତ ପୂର୍ବତନ କର୍ପୋରେଟରମାନେ ନିଜ ନିଜ ବକ୍ତବ୍ୟରେ ବାଇଁଆକୁ ସହଯୋଗ କରିବାକୁ କହିଥିଲେ । ଏଥିସହିତ ଆଗାମୀ ନିର୍ବାଚନରେ ମଧ୍ୟ ଭୁବନେଶ୍ୱର ଆସନରୁ ବାଇଁଆ ହିଁ ଏକମାତ୍ର ବିକଳ୍ପ ହେଉ, ଏହି ସଂକଳ୍ପ ନେଇ ସମସ୍ତେ ଏକଜୁଟ ହୋଇଥିବା ଓ ଏହା ଗୋଡଟଣା ନେତାଙ୍କ ପାଇଁ ଚେତାବନୀ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।
ଉଲ୍ଲେଖଥାଉ କି, ଅମରେଶଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସତେ ଯେମିତି ଏକ ବିରାଶ ସାଧାରଣ ସଭାରେ ପରିଣତ ହୋଇଥିଲା । ଭୁବନେଶ୍ୱର ମଧ୍ୟମ ବିଧାନସଭା ନିର୍ବାଚନ ମଣ୍ଡକିର ସମସ୍ତ ୧୯ଟି ୱାର୍ଡ ସହ ଏକାମ୍ର କ୍ଷେତ୍ରରୁ ଶହଶହ ସମର୍ଥକ ଓ ନେତା ଏଥିରେ ଯୋଗ ଦେଇଥିଲେ । ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସଭା ପ୍ରାରମ୍ଭ ପୂର୍ବରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାଇଆଁ କୁ ସଭାସ୍ଥଳକୁ ନିଆ ଯାଇଥିଲା।
ଏଠାରେ ସୂଚାଇ ଦେଉଛୁ କି ୨୦୧୯ ମସିହାରେ ମଧ୍ୟ ବାଇଁଆଙ୍କ ନାଁ ବିଧାୟକ ଟିଜେଟ ନେଇ ଚର୍ଚ୍ଚାରେ ଥିଲା।ବର୍ତ୍ତମାନର ଭୁବନେଶ୍ୱର ମଧ୍ୟମ ବିଧାୟକ ହେଉଛନ୍ତି ଅନନ୍ତ ନାରାୟଣ ଜେନା(ବୁନୁ)।ବହୁ ବିବାଦରେ ଛନ୍ଦି ହୋଇଥିବା ଥୁବା ବୁନୁ ଓ ବାଇଁଆ ଙ୍କ ମଧ୍ୟରେ ଏକ ପ୍ରକାର ରାଜ୍ନୈତିକ ଲଢେଇ ଆରମ୍ଭ ହୋଇଯାଇଛି। ଦେଖାଯାଉ ବାଇଁଆଙ୍କ ବଂଧୁମିଳନ ଆଳରେ ହୋଇଥିବା ଶକ୍ତି ପ୍ରଦର୍ଶନ ତାଙ୍କୁ ବିଜେଡି ବିଧାୟକ ଟିକେଟ ମିଳିବାରେ କେତେ ସାହାଯ୍ୟ କରୁଛି।
ସ୍ୱତନ୍ତ୍ର ପ୍ରତିନିଧି