Breaking News
29-Feb-2024
ଭୁବନେଶ୍ୱର,୨୯.୨.୨୪(ଭାପ୍ର): ବିଜେପିରେ ମିଶିଲେ ବିଜେଡି ରୁ ନିଲମ୍ବିତ ବିବାଦୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି ସେ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି। ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ପ୍ରଶାନ୍ତ। ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ।
ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗତ ୧୨ ମାର୍ଚ୍ଚ ୨୦୨୨ ରେ ଗାଡି ଚଢାଇ ବିଜେପି କର୍ମୀଙ୍କୁ ମାରିଦେବାର ଏବଂ ପୋଲିସ ଓ ସାମ୍ବାଦିକ ବି ବାଦ ପଡିନାହାନ୍ତି ଓ ଓଡ଼ିଶାରେ ଏପରି ଅମାନୁଷିକ,ବର୍ବର କାଣ୍ଡ କେବଳ ବିଜେଡି ହିଁ କରିପାରେ।ଓଡିଶା ପାଇଁ କଳଙ୍କିତ ଅଧ୍ୟାୟ ବୋଲି କହି ବିଜେପି ସେତେବେକେ ତୁମ୍ବିତୋଫାନ କରିଥିଲା।
ସେହିପରି ଅନୁରୂପ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଶାନ୍ତ ଜଗଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ଥିଲା ଏବଂ ଛାତିଥରା ଦୃଶ୍ୟ ରାଜ୍ୟବାସୀଙ୍କୁ କଷ୍ଟ ଦେଇଥୂଲା ବୋଲି ପ୍ରକାଶ କରିଥିଲେ।
ଅନୁରୂପ ଭାବେ ଚିଲିକାରୁ ଜଗଦେଵଙ୍କ ବିପକ୍ଷରେ ବିଜେପି ବିଧାୟକ ପାର୍ଥି ଭାବେ ଲଢ଼ିଥିବା ପୃଥ୍ୱୀରାଜ ହରିଚନ୍ଦନ ଜଗଦେଵ ଙ୍କୁ ଜେଲ ରେ ପୁରାଇବାକୁ ଦାବି କରିଥିଲେ ଏବଂ ପ୍ରଶାନ୍ତଙ୍କ କଥାକୁ ପାଗଳଙ୍କ ପ୍ରଳାପ ଓ ଏଭଳି ବ୍ୟକ୍ତି ପାଗଳ ଖାନାରେ ରହିବା କଥା ଉଲ୍ଲେଖ କରିଥିଲେ।
ଏପରିକି ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ,ବ୍ଲକ ଓ ପୋୖରାଞ୍ଚଳରେ ସତ୍ୟା ଗ୍ରହ ର ଡାକରା ଦେଇଥିଲା ବିଜେପି।
ଗାଡି ଚଢ଼େଇବା ଘଟଣା ଦିନ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଥିବା ବିଧାୟକ ଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ରେ ଭର୍ତ୍ତି କରିଥିଲା।
ବିଜେଡି ମଧ୍ୟ ଉକ୍ତ ଘଟଣାର ଦୃଢ଼ ନିନ୍ଦା କରିବା ସହ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଜେଲ ଯାଇଥିଲେ ଶ୍ରୀଜଗଦେଵ ।
ତାର ପରବର୍ତ୍ତୀ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ବର୍ଷେ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବାକୁ ପଡିବ ଓ ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭାସମିତି କରି ପାରିବେ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ସର୍ତ୍ତ ରଖିଥିଲେ।
ଜେଲ ରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ସେ କହିଥିଲେ କି ଉକ୍ତ ଘଟଣା ପାଇଁ ସେ ଅନୁତପ୍ତ ନୁହନ୍ତି,ବିଜେପିର ଏହା ଷଡଯନ୍ତ୍ର ଥିଲା।ନିଲମ୍ବନ ଏବଂ ବହିଷ୍କାର ହେଲେ ମଧ୍ୟ ସେ ବିଜେଡି ରେ ଅଛନ୍ତି ଏବଂ ବିଜେଡି ପାଇଁ କାମ କରୁଛନ୍ତି । ଘରେ ରହିଲେ ମଧ୍ୟ ଏବେ ଅଞ୍ଚଳ ବାସୀଙ୍କ ଅଭିଯୋଗ ଶୁଣୁଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି। ପୂର୍ବରୁ ବହୁ ନେତା ନିଲମ୍ବନ ହୋଇ ,ବହିଷ୍କାର ହୋଇ ଦଳ ଟିକେଟ ନେଇ ଲଢ଼ିଛନ୍ତି।ଟିକେଟ ଦେବାବେଳେ ଦଳ ନିଷ୍ପତି ନେବ ବୋଲି କହିଥିଲେ।
ସେତେବେଳେ ତତ୍କାଳୀନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉକ୍ତ ଘଟଣାକୁ ଉତ୍ତରପ୍ରଦେଶର ର 'ଲଷ୍ମୀପୁର ଖେରି' ଘଟଣା ସହ ତୁଳନା କରି ଦୃଢ଼ ନିନ୍ଦା କରିଥିଲେ। ତତ୍କାଳୀନ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ଦୃଢ଼ ନିନ୍ଦା କରିଥିଲେ।ସେହିପରି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ମଧ୍ୟ ଦୃଢ଼ ନିନ୍ଦା କରିଥିଲେ।କିନ୍ତୁ ସେତେବେଳେ ବିରୋଧ କରିଥିବା ବିଜେପି ର ସମସ୍ତ ନେତୃବୃନ୍ଦ ଆଜି ତାଙ୍କ ସପକ୍ଷରେ ଏକ ହୋଇଗଲେ ଏବଂ ମିଶ୍ରଣ ପର୍ବରେ ସାମିଲ ଥିଲେ।
କିନ୍ତୁ ଆଜି ବିଜେପି ରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଙ୍କ ବଦଳରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ କହି ମୋଦିଙ୍କ ଗୁଣଗାନ କରିଛନ୍ତି।
ସେ କହିଛନ୍ତି ଯେ, ମୁଁ ବିଜେପିରେ ସାମିଲ ହୋଇ ଖୁସି ଓ ଗର୍ବିତ । ବିଜେଡିରେ ଥିବାବେଳେ ପ୍ରଧାନମନ୍ତ୍ରୀ ଯଶସ୍ୱୀ ମୋଦିଜୀଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ପାର୍ଟିକୁ ସମ୍ମାନ ଦେଉଥିଲି । କିନ୍ତୁ ଏକଥାକୁ ମୁଁ ପରିପ୍ରକାଶ କରିପାରୁନଥିଲି । ଭାରତ ତଥା ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶାସନର ଆବଶ୍ୟକତା ରହିଛି ।
ମୋଦିଜୀଙ୍କ କାର୍ଯ୍ୟଶୈଳୀ ମୋତେ ପ୍ରଭାବିତ କରିଛି । ଏଠି ମୁଁ ସୈନିକ ଭାବେ କାମ କରିବି । ପୂର୍ବରୁ ନବୀନ ବାବୁଙ୍କ ପାଇଁ ବହୁତ କାମ କରିଛି, ସିଏ ବି ମୋତେ ବହୁତ ସମ୍ମାନ ଦେଇଛନ୍ତି କିନ୍ତୁ ଆଜି ନବୀନ ବାବୁ ସେ ଅବସ୍ଥାରେ ନାହାନ୍ତି । ନବୀନ ବାବୁ ରାଜନୀତି ବ୍ୟବସ୍ଥା ଭିତରୁ ନିବୃତ ରହିବାର ଆବଶ୍ୟକତା ରହିଛି । ଓଡିଶାରେ ବିଜେପିର “ଡବଲ ଇଞ୍ଜିନ ସରକାର” ହେବ ।
ଏବେ ମୁଁ ପୂରା ଆକ୍ସନ ମୁଡ୍ରେ ଅଛି, ବିଜେପି ଦଳର କାର୍ଯ୍ୟ କରିବି। ପୁରୁଣା ଘରକୁ ଫେରିବା ଭଳି ଲାଗୁଛି । ବିଜେପିରେ ମୋର ପୁରୁଣା ବନ୍ଧୁମାନେ ଥିଲେ ସମସ୍ତଙ୍କୁ ସାଥୀରେ ନେଇ ପୁଣିଥରେ “ବିକଶିତ ଓଡିଶା ଓ ବିକଶିତ ଭାରତ” ଗଠନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଜଗଦ୍ଦେବ କହିଛନ୍ତି ।
ବାହୁବଳୀ ବିଧାୟକ ଭାବେ ଚର୍ଚ୍ଚା ରେ ଥିବା ଜଗଦେବଙ୍କୁ ଆଜି ବିଜେପି ଦଳ କୋଳେଇ ନେଇଛି।ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା। ଆଉ ଆଜି ସେହି ଚର୍ଚ୍ଚାର ପୁର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ।
ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ପ୍ରଶାନ୍ତ ଜଗଦ୍ଦେବ ୨୦୧୪ରେ ବେଗୁନିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୯ରେ ବିଜେଡି ଟିକେଟ ରେ ଚିଲିକା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ହୋଇଥିଲେ।
ସାଧାରଣ ନିର୍ବାଚନ ଆଉ କିଛି ଦିନ ବାକି ଥିବାବେଳେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ଏକାଧିକ ବିଜେଡି ନେତା ବିଜେପିରେ ସାମିଲ ହେଉଛନ୍ତି। ଗତ କିଛିଦିନ ଭିତରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ।
ତେବେ ଯାହାହେଉ ଜଗଦେବଙ୍କ ଗାଡି ଚଢ଼ା ଘଟଣାରେ ଆହତ ବିଜେପି କର୍ମୀ ଏବଂ ନେତୃବୃନ୍ଦ ଏବେ କରିବେ କଣ ? କୋଳେଇବେ ନା ବିରୋଧ କରିବେ, ଦେଖିବାକୁ ବାକି ରହିଲା।
ସ୍ୱତନ୍ତ୍ର ପ୍ରତିନିଧି