- ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଏବଂ କୋଟିଆ ପ୍ରସଙ୍ଗରେ ନିରବତାକୁ ନେଇ ଓଜେସିର କଡ଼ା ସମାଲୋଚନା
- ବନ୍ୟାରେ ଭାସିଲା ଚାଷୀଙ୍କ ସ୍ୱପ୍ନ, କୋଟିଆରେ ବିପନ୍ନ ଓଡ଼ିଶାର ସ୍ୱାଭିମାନ
- ବନ୍ୟାରେ ଭାସିଲା ଚାଷୀଙ୍କ ସ୍ୱପ୍ନ, କୋଟିଆରେ ବିପନ୍ନ ଓଡ଼ିଶାର ସ୍ୱାଭିମାନ
ଭୁବନେଶ୍ୱର, ୪/୧୧(ଭାରତ ପ୍ରସାରଣ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନାରେ ବିଫଳତା ଓ ପ୍ରଶାସନିକ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଓଡ଼ିଶା ଜନତା କଂଗ୍ରେସ। ଏଥିସହିତ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶର ପଦକ୍ଷେପ ଏବଂ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ଦଳ ପ୍ରଶ୍ନ ଉଠାଇଛି । ଆଜି ଭୁବନେଶ୍ୱରସ୍ଥିତ ଓଜେସିର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ କହିଥିଲେ ଯେ, ବନ୍ୟାରେ ଚାଷୀଙ୍କ ମାସ ମାସର ପରିଶ୍ରମ ଓ ଆଶା ଧୋଇଯାଇଛି। ପାଚିଲା ଧାନ ଫସଲ ଏବଂ ପନିପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନେକ ପରିବାର ଜୀବିକା ହରାଇଛନ୍ତି । ବନ୍ୟା ପରିଚାଳନାରେ ପ୍ରସ୍ତୁତିର ଅଭାବ କାରଣରୁ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକୁ ଏହି ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଆକସ୍ମିକ ବନ୍ୟା (ଫ୍ଲାସ୍ ଫ୍ଲଡ୍) ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ଫଳରେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ NH-326 ଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୩୦୦ରୁ ଅଧିକ ଗାଁ ବନ୍ୟା ଜଳ ଘେରରେ ରହିବା ସହ ହଜାର ହଜାର ଲୋକ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ପାଇଁ ହଇରାଣ ହୋଇଛନ୍ତି। ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ରିଲିଫ୍, ପାନୀୟ ଜଳ, ଶୁଖିଲା ଖାଦ୍ୟ ଓ ଚିକିତ୍ସା ସହାୟତା ଯୋଗାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ । କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ତୁରନ୍ତ କ୍ଷତିପୂରଣ ଓ ଆର୍ଥିକ ସହାୟତା ପ୍ରଦାନ ନ କରିବା ବନ୍ୟା ପ୍ରପୀଡ଼ିତଙ୍କ ପ୍ରତି ସରକାରଙ୍କ ଚରମ ସମ୍ବେଦନହୀନତାକୁ ଦର୍ଶାଉଛି । ବିପର୍ଯ୍ୟୟର ପୂର୍ବାନୁମାନ, ଆଗୁଆ ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ବଣ୍ଟନରେ ପ୍ରଶାସନର ଭୂମିକାକୁ ନେଇ ଓଜେସି ପ୍ରଶ୍ନ ଉଠାଇଛି । ସରକାରଙ୍କ ୪ ଜଣ ମନ୍ତ୍ରୀ ଏବଂ ବର୍ତ୍ତମାନ ୪ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସଠିକ୍ ଆକଳନ କରିପାରିନାହାନ୍ତି ।
ପ୍ରଶାସନିକ ଅବହେଳା ହେତୁ ଗଜପତି ଜିଲ୍ଲାରେ ଭୂସ୍ଣଳନ ଯୋଗୁଁ ମାଟିତଳେ ନିଖୋଜ ଥିବା ୧୨ରୁ ଅଧିକ ଗ୍ରାମବାସୀଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନାହିଁ । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ଡବଲ ଇଞ୍ଜିନ୍ ସଂପୂର୍ଣ୍ଣ ବିଫଳ । ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ଜଣେ ସୁରକ୍ଷା କର୍ମୀଙ୍କ ପିଠିରେ ବସି କାଦୁଅ ପାଣି ପାର ହେବାକୁ ନେଇ ଦଳ କଡ଼ା ସମାଲୋଚନା କରିଛି । ଯେଉଁଠି ସାଧାରଣ ଲୋକେ ବନ୍ୟା ଜଳ ମଧ୍ୟରେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି, ସେଠାରେ ଜଣେ ମନ୍ତ୍ରୀଙ୍କ ଏଭଳି ଆଚରଣ VIP ସଂସ୍କୃତି ଏବଂ ଜନସାଧାରଣଙ୍କ ସମସ୍ୟା ପ୍ରତି ଚରମ ସମ୍ବେଦନହୀନତାକୁ ଦର୍ଶାଉଛି । ପୂର୍ବରୁ ଯାଜପୁର ଏବଂ ବାଲେଶ୍ୱର ଜିଲ୍ଲା ଭୟଙ୍କର ବନ୍ୟା ବିପତ୍ତିର ସମ୍ମୁଖୀନ ହୋଇଥିବାବେଳେ, ସରକାରଙ୍କର ଦାୟିତ୍ୱହୀନତା ଯାହା ଥିଲା ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ବନ୍ୟା ସମୟରେ ମଧ୍ୟ ଅନୁରୁପ ରହିଛି ।
ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ଓଡ଼ିଆ ଅସ୍ମିତାର ପ୍ରତୀକ କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଜି ପ୍ରଶ୍ନ ଉଠାଇଛି ଓଡ଼ିଶା ଜନତା କଂଗ୍ରେସ । ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର କୋଟିଆ ଅଞ୍ଚଳରେ ନଭେମ୍ବର ୫ ତାରିଖରେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିବାବେଳେ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆବଶ୍ୟକ ଦୃଢ଼ କୂଟନୈତିକ ଓ ପ୍ରଶାସନିକ ପଦକ୍ଷେପ ଦେଖିବାକୁ ମିଳୁନଥିବା ଦଳ କହିଛି । ଏହି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ, ସାମ୍ବିଧାନିକ ବ୍ୟବସ୍ଥା ଏବଂ ରାଜ୍ୟର ଭୌଗୋଳିକ ଅଖଣ୍ଡତାକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ସରକାର ଦିଅନ୍ତୁ ବୋଲି ଓଜେସି ଦାବି କରିଛି । କେବଳ ପୋଲିସ ଫୋର୍ସ ମୁତୟନ କରିଦେଲେ ରାଜ୍ୟର ସୀମା ଓ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ହୋଇପାରିବ ନାହିଁ। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ନ୍ତୁ ବୋଲି ଶ୍ରୀ ଶତପଥୀ ଦାବି କରିଛନ୍ତି । କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ସରକାରୀ ସୁବିଧା ସୁଯୋଗକୁ ସୁଦୃଢ଼ କରିବା ଆବଶ୍ୟକ । ରାଜ୍ୟର ସୀମା ଓ ସ୍ୱାଭିମାନର ସୁରକ୍ଷା ପାଇଁ ସରକାର ଠୋସ୍ ପଦକ୍ଷେପ ନିଅନ୍ତୁ । କୋଟିଆ ଓଡ଼ିଶାର ଥିଲା, ଅଛି ଏବଂ ରହିବ। ଓଡ଼ିଶାର ସୀମା, ଅଧିକାର ଓ ଅସ୍ମିତାର ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସକୁ ଗ୍ରହଣ କରାଯିବ ନାହିଁ ବୋଲି ଓଜେସି ସ୍ପଷ୍ଟ କରିଛି ।
ଓଜେସିର ପ୍ରମୁଖ ଦାବି :
୧- ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଡିବିଟି ମାଧ୍ୟମରେ ୫୦ ହଜାର ଟଙ୍କାର ପ୍ରାଥମିକ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉ । ସଂପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ପରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଉ ।
୨- ପୂର୍ବ ପ୍ରତିଶ୍ରୁତି ଅନୁସାରେ ଚାଷୀଙ୍କ ପାଇଁ ୩ ହଜାର କୋଟି ଟଙ୍କାର ଏକ କର୍ପସ ଫଣ୍ଡ୍ ଗଠନ କରାଯାଉ ।
୩- ଚଳିତ ବର୍ଷ ବନ୍ୟାରେ ହୋଇଥିବା ଅପୂରଣୀୟ କ୍ଷତିକୁ ନେଇ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।
୪ - କୋଟିଆ ପ୍ରସଙ୍ଗରେ ସରକାର ସର୍ବଦଳୀୟ ବୈଠକ ଡାକି ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରି ଏକ କମିଟି ଗଠନ କରନ୍ତୁ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ବିଚାର ଆଲୋଚନା କରି ଏହାର ସ୍ଥାୟୀ ସମାଧାନ ବାହାର କରନ୍ତୁ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା ଓ ଛାତ୍ରନେତା ଆଦିତ୍ୟ ପ୍ରସାଦ ପରିଡ଼ା ଉପସ୍ଥିତ ଥିଲେ ।





