- ରାଜ୍ୟରେ ଯେ ଗୋଟିଏ ସରକାର ଅଛି, ତାହା କେହି ଜାଣିପାରୁନାହାନ୍ତି
- କୋଟିଆ ପ୍ରସଙ୍ଗରେ ବିଜେଡି ୨୪ ବର୍ଷ ଶୋଇଥିଲା, ବିଜେପି ଅଢ଼େଇ ବର୍ଷ ଶୋଇଲା; କଂଗ୍ରେସ ଏମାନଙ୍କୁ ନିଦରୁ ଉଠାଇଲା
ଭୁବନେଶ୍ୱର,୪/୧୧(ଭାରତ ପ୍ରସାରଣ): ରାଜ୍ୟରେ ଯେ ଗୋଟିଏ ସରକାର ଅଛି, ତାହା କେହି ଜାଣିପାରୁନାହାନ୍ତି। ଯଥେଷ୍ଟ ପୂର୍ବରୁ ବାତ୍ୟା ଓ ବନ୍ୟାର ସୂଚନା ଦିଆଯାଇଥିଲେ ମଧ୍ୟ ଡ୍ୟାମଗୁଡ଼ିକରୁ ପାଣି ଠିକ୍ ସମୟରେ ନିଷ୍କାସନ କଲେନାହିଁ ଓ ଲକ୍ଷଲକ୍ଷ ଲୋକଙ୍କୁ ଦୁର୍ଗତି ଭିତରକୁ ଠେଲିଦେଲେ। ମୁଖ୍ୟମନ୍ତ୍ରୀ ନିଜେ ଯେଉଁଯେଉଁ ବିଭାଗର ଦାୟିତ୍ବରେ ଅଛନ୍ତି, ସେହି ବିଭାଗଗୁଡ଼ିକର ପ୍ରଦର୍ଶନ ନୈରାଶ୍ୟଜନକ। ଜଳସମ୍ପଦ ଓ ଗୃହ ବିଭାଗର କାର୍ଯ୍ୟଧାରା ଦେଖିଲେ ଏହା ସ୍ପଷ୍ଟ ହେଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ବୁଧବାର କଂଗ୍ରେସ ଭବନରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଥିଲେ, ଜଳସମ୍ପଦ ବିଭାଗର ଯେଉଁ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ପାଇଁ ଗଂଜାମ, ଗଜପତି ଓ କନ୍ଧମାଳବାସୀଙ୍କୁ ଦୁର୍ଗତିକୁ ଠେଲିଦିଆହୋଇଛି, ବିଭାଗୀୟ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରନ୍ତୁ। ଏବେ ରାଜ୍ୟ ଯେଉଁ ଦୁଇଗୋଟି ଦୁର୍ଗତିର ସମ୍ମୁଖୀନ ହୋଇଛି, ମନ୍ତ୍ରୀମାନେ ସବୁ କାମ ଛାଡ଼ି ଗ୍ରାଉଣ୍ଡରେ ରହନ୍ତୁ ବୋଲି ଶ୍ରୀ ଦାସ କହିଥିଲେ।
ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ବିଷୟରେ ଶ୍ରୀ ଦାସ କହିଥିଲେ, ସରକାର ଯାହା ଦେବାପାଇଁ ଘୋଷଣା କରିଛନ୍ତି ତାହା ଅତ୍ୟନ୍ତ ନଗଣ୍ୟ। ଏକର ପିଛା ଅତି କମ୍ରେ ଯଦି ୨୦ କ୍ବିଣ୍ଟାଲ ଧାନ ଅମଳ ହିସାବ କରାଯାଏ, ପ୍ରଚଳିତ ଏମଏସପି ଅନୁସାରେ ଅନ୍ତତଃ ଚାଷୀକୁ ୬୨ ହଜାର ଟଙ୍କା ମିଳିବା କଥା। ମାତ୍ର ସରକାର ମାତ୍ର ୮,୫୦୦ ଟଙ୍କାରେ ଭୂତେଇଦେଇଛନ୍ତି। ଯେଉଁ ଅନ୍ନଦାତା ସବୁକିଛି ହରାଇଛି, ତାକୁ ୫୦ ପ୍ରତିଶତ କ୍ଷତିପୂରଣ ଦେବାପାଇଁ ମଧ୍ୟ ଏ ନିର୍ଦ୍ଦୟ ସରକାର ମନ ବଳାଉନାହାନ୍ତି କିପରି ବୋଲି ସେ ପ୍ରଶ୍ନ କରିଥିଲେ।
କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ମନମାନୀ ଓ ଓଡ଼ିଶା ସରକାରଙ୍କ ଅପାରଗତା ବିଷୟରେ ପ୍ରଶ୍ନ ହେଲାରୁ ଶ୍ରୀ ଦାସ କହିଥିଲେ, ଆମେ ରାଜ୍ୟ ଓ ରାଜ୍ୟବାସୀଙ୍କ ସହ ଅଛୁ। ପୂର୍ବର ବିଜେଡି ସରକାରର ଅପାରଗତା ଓ ଏବର ବିଜେପି ସରକାରର ନିଷ୍କ୍ରିୟତା ପାଇଁ ଆଜିର କଠିନ ପରିସ୍ଥିତି କୋଟିଆରେ ସୃଷ୍ଟି ହୋଇଛି। କଂଗ୍ରେସ ଦଳ ପକ୍ଷରୁ କୋଟିଆରେ ପ୍ରଥମେ ଆନ୍ଧ୍ରକୁ ବିରୋଧ କରି କାର୍ଯ୍ୟକ୍ରମ କରାଯିବାରୁ ସରକାର ଚେଇଁଲେ ଓ ଯଥେଷ୍ଟ ବିଳମ୍ବରେ ଏବେ ଟିକେ ଦୃଢ ହେବାପରି ମନେ ହେଉଛି। କୋଟିଆ ପ୍ରସଙ୍ଗରେ ବିଜେଡି ୨୪ ବର୍ଷ ଶୋଇଥିଲା, ବିଜେପି ଅଢ଼େଇ ବର୍ଷ ଶୋଇଲା; କଂଗ୍ରେସ ଏମାନଙ୍କୁ ଉଠାଇଲା। ବିଜେଡି ସରକାର ସୁପ୍ରିମକୋର୍ଟରେ ଠିକ୍ ଭାବେ ମାମଲା ପରିଚାଳନା କରିପାରିଲେ ନାହିଁ। ଏବେ ବିଜେପିର ପାଳି। ସ୍ଥିତାବସ୍ଥା ରକ୍ଷା ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍ ଭାବେ ପାଳନ କରାଇବା ଡବଲ ଇଂଜିନ ସରକାରର ଦାୟିତ୍ବ। ରାଜ୍ୟ ଏପରି ଏକ ସଂକଟର ମୁକାବିଲା ପାଇଁ ସମସ୍ତଙ୍କୁ ଏକାଠି କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ କହିଥିଲେ।
ସାମ୍ବାଦିକମାନଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଲେ, ଏ ସରକାର କେବଳ ପୁଂଜିପତିମାନଙ୍କର ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ। ରାଜ୍ୟର ଖଣିଖାଦାନ ଉପରେ ଡବଲ ଇଂଜିନ ସରକାରର ଆଖି। ସେଥିପାଇଁ ସେମାନେ ବଡ଼ବଡ଼ ଶିଳ୍ପପତିମାନଙ୍କୁ ଡାକି ଶାଗମାଛ ଦରରେ ରାଜ୍ୟର ବହୁମୂଲ୍ୟ ଖଣିଖାଦାନକୁ ଟେକିଦେଉଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ। ଯେଉଁ ବିସ୍ଥାପିତଙ୍କୁ ଲୁହରେ ଏହି ପୁଂଜିପତିମାନଙ୍କୁ ପରିପୁଷ୍ଟ କରାଯାଉଛି, ପ୍ରଥମେ ସେହି ବିସ୍ଥାପିତଙ୍କ କଥା ନ ବୁଝିଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ।





