ଦେଶ ଯେତେବେଳେ 'ବିକଶିତ ଭାରତ ୨୦୪୭' ର ସ୍ୱପ୍ନ ଦେଖୁଛି, ଓଡ଼ିଶା ମଧ୍ୟ ସମାନ ଦୃଢ଼ତାର ସହ 'ବିକଶିତ ଓଡ଼ିଶା' ଗଠନ ଦିଗରେ ଦ୍ରୁତ ପଦକ୍ଷେପ ନେଉଛି। ଏହି ସନ୍ଧିକ୍ଷଣରେ ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ବାଟ ଦେଖାଇବା ପାଇଁ ଏହି ସମ୍ମିଟ୍ ମୁଖ୍ୟତଃ ସ୍କେଲ ଅର୍ଥାତ୍ ସପୋର୍ଟ, କ୍ୟାପିଟାଲ, ଆକ୍ସେଲରେସନ୍, ଲର୍ଣ୍ଣିଂ ଏବଂ ଇକୋସିଷ୍ଟମ୍ ଭଳି ପାଞ୍ଚଟି ମୂଳ ସ୍ତମ୍ଭ ଉପରେ କାର୍ଯ୍ୟ କରିବ। ବ୍ୟବସାୟିକ ଅଭିନବ ଚିନ୍ତାଧାରାକୁ କେବଳ ଆଲୋଚନାରେ ସୀମିତ ନରଖି ତାହାକୁ ସ୍ଥାୟୀ ପ୍ରଗତି ଓ ସଫଳତାରେ ପରିଣତ କରିବା ଦିଗରେ ଏହା ଏକ ବଳିଷ୍ଠ ମାଧ୍ୟମ ସାଜିବ।
ସରକାର ଏବଂ ଶିଳ୍ପ ଜଗତ ମଧ୍ୟରେ ସୁସମ୍ପର୍କ ସ୍ଥାପନ ତଥା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟର ଶୀର୍ଷ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଟ୍ ରେ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ତାଙ୍କ ସମେତ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ଶିଳ୍ପ ଓ ଦକ୍ଷତା ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଶିଳ୍ପ ତଥା ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା (ଆଇଏଏସ୍) ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ରହିବେ।। ଏହି ସମ୍ମିଟ୍ ଆମ ରାଜ୍ୟରେ ଏକ ସୁଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ର ମୂଳଦୁଆ ପକାଇବା ସହ ଭବିଷ୍ୟତର ଅର୍ଥନୈତିକ ସମୃଦ୍ଧି ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହି ନେତୃବୃନ୍ଦଙ୍କ ବ୍ୟତୀତ ବିଭିନ୍ନ ଷ୍ଟାର୍ଟଅପ୍ ଏବଂ ଟେକ୍ନୋଲୋଜି କମ୍ପାନୀର ସଫଳ ପ୍ରତିଷ୍ଠାତାମାନେ ମଧ୍ୟ ଏହି ସମ୍ମିଟରେ ସାମିଲ ହେବେ। ସେମାନଙ୍କ ମଧ୍ୟରେ ଆଇସ୍ପାଇସାଇବର ର ପ୍ରତିଷ୍ଠାତା ରୂପେଶ ମେହେର, ସୋଲାରିକ୍ସ ଟେକ୍ନୋଲୋଜିସ୍ ର ପ୍ରତିଷ୍ଠାତା ବିଭୁ ପ୍ରସାଦ ଦାଶ, ସିଏନ୍ଓଏକ୍ସର ଏକଜିକ୍ୟୁଟିଭ୍ ଡାଇରେକ୍ଟର ପାର୍ଥ ସାରଥୀ ଘୋଷ, ଆଇକୋବିଷ୍ଟ୍ ଏବଂ ସିଏନ୍ଓଏକ୍ସ ର ପ୍ରତିଷ୍ଠାତା ଅରୁଣ ଭୂୟାଁ ପ୍ରମୁଖ ସାମିଲ ଅଛନ୍ତି। ଏହାସହ ୱାର୍କସପ୍ରୋଗ୍ରାମ ର ପ୍ରତିଷ୍ଠାତା ମହିମ୍ ମହାପାତ୍ର, କ୍ୟାମ୍ପସଭ୍ୟୁର ପ୍ରତିଷ୍ଠାତା ସନ୍ତୋଷ ଦେବ ଠାକୁର, ଅବ୍ୟାଶକ୍ତିର ପ୍ରତିଷ୍ଠାତା ଜୀବନ ମହାକୁଡ଼, ଜବସ୍କଲର ପ୍ରତିଷ୍ଠାତା ସୀତାଂଶୁ ମିଶ୍ର ଏବଂ ଇକୋସୋଲର ପ୍ରତିଷ୍ଠାତା ଶ୍ରୀମତୀ ମୁନମୁନ୍ ସିଂହ ମଧ୍ୟ ଉପସ୍ଥିତ ରହିବେ।





