ଭୁବନେଶ୍ୱର, ୧୦/୧୧(ଭାରତ ପ୍ରସାରଣ) : ଗତ ଅଢେଇ ବର୍ଷର ବିଜେପି ସରକାରରେ ଓଡ଼ିଶାର ଆଦିବାସୀ ମାନେ ଅସୁରକ୍ଷିତ ହୋଇପଡିବା ସହ ବାରମ୍ବାର ନିର୍ଯାତନାର ଶିକାର ହେଉଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ଆଦିବାସୀ ହୋଇଥିବା ବେଳେ ତାଙ୍କ ଜିଲ୍ଲା କେନ୍ଦୁଝରରେ ସାନ୍ତାଳ ସମ୍ପ୍ରଦାୟର ପୂଜାସ୍ଥଳୀ ଉପରେ ଆକ୍ରମଣ ନିନ୍ଦନୀୟ । ଏହି ଘଟଣାକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ସେଲ୍ ସଭାପତି ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ଆଜି କେନ୍ଦୁଝର ଜିଲ୍ଲାର ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବସନ୍ତପୁରା ଗ୍ରାମ ପରିଦର୍ଶନ କରିଥିଲା । ରାଜନୈତିକ ଉଦେଶ୍ୟ ରଖି ବଜରଙ୍ଗ ଦଳ ସହ ସମ୍ପୃକ୍ତ ବ୍ୟକ୍ତି ମାନେ ସାନ୍ତାଳ ସମ୍ପ୍ରଦାୟର ପୂଜାସ୍ଥଳୀରେ ଆଦିବାସୀଙ୍କ ଉପରେ କରିଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଘଟଣା ସମ୍ପର୍କରେ ସାନ୍ତାଳ ସମ୍ପ୍ରଦାୟର ଲୋକମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲା ପ୍ରତିନିଧି ଦଳ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୩ ଅକ୍ଟୋବର ୨୦୨୬ ତାରିଖରେ ସାନ୍ତାଳ ସମ୍ପ୍ରଦାୟର ପବିତ୍ର ପୂଜାସ୍ଥଳୀ ଜାହେର ଥାନ୍ (ଜାହେରା) ଠାରେ ବଜରଙ୍ଗ ଦଳର କିଛି ବ୍ୟକ୍ତି ମାନେ ପବିତ୍ର ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ପୂଜାସ୍ଥଳୀରେ ଉପସ୍ଥିତ ଥିବା ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ବୃଦ୍ଧବୃଦ୍ଧା ଓ ଅନେକ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଘଟଣାରେ ପ୍ରତିନିଧି ଦଳ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଆଦିବାସୀ ସମ୍ପ୍ରଦାୟଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ମାନଙ୍କ ଉପରେ ଆକ୍ରମଣ ଦର୍ଶାଉଛି ଯେ, ଓଡ଼ିଶାରେ ଆଦିବାସୀ ସମାଜ କେତେ ଅସୁରକ୍ଷିତ । ସାନ୍ତାଳ ସମ୍ପ୍ରଦାୟର ଆଦିବାସୀ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଆଦିବାସୀ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ ରାଜ୍ୟ ସରକାର । ଏହି ଗସ୍ତ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ପ୍ରତିନିଧି ଦଳ ।
ବିଜେଡିର ଏହି ପ୍ରତିନିଧି ଦଳରେ ସାନନ୍ଦ ମାରାଣ୍ଡି, ଧନୁର୍ଜୟ ସିଦ୍ଧୁ, ମାଧବ ସର୍ଦ୍ଦାର, ବାସନ୍ତୀ ହେମ୍ବ୍ରମ, ଦେବାଶିଷ ମାରାଣ୍ଡି, ଡ଼ ପ୍ରିୟବ୍ରତ ମାଝୀ, ଆଶିଷ ଚକ୍ରବର୍ତ୍ତୀ, ସାଗରିକା ସାହୁ, ସୋମନାଥ ଦାସ, ଶ୍ରୀନାଥ ସୋରେନ୍, ଭାରତୀ ହାଁସଦା, ଜଗନ୍ନାଥ ନାଏକ, ମୀନା ମାଝୀ, ଗଙ୍ଗାଧର ହେମ୍ୱ୍ରମ, ଚକ୍ରଧର ହେମ୍ୱ୍ରମ, ମାଇନା ସୋରେନ୍ ପ୍ରମୁଖ ସାମିଲ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ଦାସ, କୃଷ୍ଣଚନ୍ଦ୍ର ରାଉତ, ଅକ୍ଷୟ ଜେନା, ନିର୍ମଳ ରାଉତ, ପଞ୍ଚାନନ ସାହୁ, ଅମରେନ୍ଦ୍ର ଧଳ, ନରେନ୍ଦ୍ର ହାଁସଦା, ଧାନୀ କିସ୍କୁ, ମିନାକ୍ଷୀ ସୋରେନ, ରାଧେକୃଷ୍ଣ ହାଁସଦା, ରାହୁଲ ହେମ୍ୱ୍ରମ, ରାମ ହେମ୍ୱ୍ରମ, ଦେଶ ମାଝୀ, ଶିବ ମାରାଣ୍ଡି, ଇପିଲ ଚାନ୍ଦ ହାଁସଦାଙ୍କ ସମେତ ସ୍ଥାନୀୟ ନେତୃବର୍ଗ ଉପସ୍ଥିତ ରହିଥିଲେ ।





