- ଜ୍ୟୋତିଷ ଶାସ୍ତ୍ରରେ ଗଣିତ ଜ୍ୟୋତିଷ ଅକାଟ୍ୟ : ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ୱର, ୧୧/୧୧(ଭାରତ ପ୍ରସାରଣ ) : ଭୁବନେଶ୍ଵର ଓକିଲ ସଂଘ, ରାଜ୍ୟ ପୂଜ୍ୟପୂଜା ଟ୍ରଷ୍ଟ ଓ ରେବତୀକାନ୍ତ ଶାସ୍ତ୍ରୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଗଣିତ ଜ୍ୟୋତିଷ, ପୂର୍ବ ପ୍ରଶାସକ ଓ ତଳେ ପଡ଼ିଥିବା ମଣିଷର ଓକିଲ ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୯ତମ ପୂଣ୍ୟତିଥ୍ ବୁଧବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାଗୃହରେ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମାନ୍ୟବର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ ଯେ, ସ୍ୱର୍ଗତ ବେରତୀକାନ୍ତ ଶାସ୍ତ୍ରୀ ଜଣେ ଚଳନ୍ତି ଅନୁଷ୍ଠାନ ଥିଲେ । ଜଣେ ସରକାରୀ ପ୍ରଶାସକ ହୋଇ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ନୂତନ ଯୁବପିଢି ଯେତେବେଳେ ଜ୍ୟୋତିଷ ଶାସ୍ତ୍ରକୁ ନ୍ୟୁନ ଦେଖୁଛନ୍ତି, ସେମାନେ ଜାଣିବା ଉଚିତ୍ ଯେ ଜ୍ୟୋତିଷ ଶାସ୍ତ୍ର ବିଜ୍ଞାନ ସମ୍ମତ ଓ ଗଣିତ ଜ୍ୟୋତିଷ ଅକାଟ୍ୟ |

ବିଶିଷ୍ଟ ଅତିଥି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡଃ ପ୍ରଭାତ କୁମାର ମହାପାତ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସ୍ୱର୍ଗତ ଶାସ୍ତ୍ରୀ ମୋ ପୂଜ୍ୟ ପିତୃଦେବଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ, ସେମାନେ ଘଣ୍ଟା ଘଣ୍ଟା ଧରି ଜ୍ୟୋତିଷ ଶାସ୍ତ୍ର ଆଲୋଚନା କରିବା ମୁଁ ଦେଖୁଛି । ସେ ବହୁ ପ୍ରଜ୍ଞାର ଅଧିକାରୀ ଥିଲେ । ସମ୍ମାନିତ ଅତିଥୁ ରାଜ୍ୟ ଅଧୂବକ୍ତା ପରିଷଦର ଅଧକ୍ଷ ଶିତାଂଶୁ ମୋହନ ଦ୍ବିବେଦୀ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱର୍ଗତ ଶାସ୍ତ୍ରୀ ଜଣେ ପ୍ରଶାସକ ଭାବେ ଯେଭଳି ନିଷ୍ଠା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ, ଅବସର ପରେ ଜଣେ ଓକିଲ ଭାବରେ ସେ ସେହିଭଳି ଦକ୍ଷତା ପ୍ରଦର୍ଶନ କରି ଆମଭଳି ଯୁବ ଓକିଲମାନଙ୍କ ମାର୍ଗଦର୍ଶକ ଥିଲେ । ବରିଷ୍ଠ ପୁଲିସ୍ ପ୍ରଶାସକ ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ହାଇକୋର୍ଟ ଓକିଲ ସଂଘର ସଭାପତି ଲଲାଟେନ୍ଦୁ ସାମନ୍ତରାୟ ଓ ବିଶିଷ୍ଟ ଜ୍ୟୋତିର୍ବିଦ ବୈକୁଣ୍ଠନାଥ ନାୟକ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱର୍ଗତ ଶାସ୍ତ୍ରୀଙ୍କୁ ଜଣେ ସାର୍ଥକ ଓ ସମର୍ଥ ମଣିଷ ବୋଲି କହିଥିଲେ । ତାର ଉଦାହରଣ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ । ତାଙ୍କର ସଂକଳ୍ପ ଓ ନିଷ୍ଠାରେ ସ୍ମୃତି ପରିଷଦ ଏବେବି କାର୍ଯ୍ୟକ୍ଷମ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭୁବନେଶ୍ଵର ଓକିଲ ସଂଘର ସଭାପତି ଅଶୋକ କୁମାର ଛୋଟରାୟ ସ୍ୱାଗତ ଭାଷଣ, ସମ୍ପାଦକ ସୁମନ ରାଉତରାୟ ସଂକ୍ଷିପ୍ତ ବକ୍ତବ୍ୟ ଓ ରେବତୀକାନ୍ତ ଶାସ୍ତ୍ରୀ ଫାଉଣ୍ଡେସନର ସଭାପତି ଶୀଳଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରେବତୀକାନ୍ତ ଶାସ୍ତ୍ରୀ ସ୍ମାରକୀ ସମ୍ମାନ-୨୦୨୬ ଜ୍ୟୋତିଷ ପାଇଁ ପୂର୍ବ ପ୍ରଶାସକ ପ୍ରଦୀପ୍ତ କୁମାର ବିଶ୍ଵାଳ ଓ ସାହିତ୍ୟ ପାଇଁ ଭଞ୍ଜନଗରର କବୟିତ୍ରୀ ଶ୍ରୀମତୀ ନମିତା କୁମାରୀ ପଣ୍ଡାଙ୍କୁ ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ଉତ୍ତରୀୟ, ମାନପତ୍ର ଓ ସ୍ମାରକୀ ଫଳକ ପ୍ରଦାନ କରିଥିଲେ ଓ ନୂତନ ପିଢିର ଯୁବ ଆଇନଜୀବୀ ପ୍ରଭାତ କୁମାର ପଣ୍ଡା, ରାହୁଲ ରଥ, ନୃସିଂହ ଚରଣ ସାହୁ, ଅଭିରାମ ଦୀପ ଓ ଟି. ପ୍ରିୟଦର୍ଶିନୀଙ୍କୁ ସମ୍ବଦ୍ଧନା ଓ ଆଇନ ପୁସ୍ତକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ଏବଂ ରାଜ୍ୟ ପୂଜ୍ୟ ପୂଜା ଟ୍ରଷ୍ଟ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ଏବଂ ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ତଥା ପଠାଣି ସାମନ୍ତଙ୍କ ସ୍ମୃତିକୁ ବଞ୍ଚେଇ ରଖିଥିବା ବିନ୍ଧାଣୀ ସ୍ଵର୍ଗତ ରେବତୀ କାନ୍ତ ଶାସ୍ତ୍ରୀ ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଉପାଧିରେ ଭୁଷିତ କରିବାକୁ ଚେଷ୍ଟା କରିବାକୁ ମାନ୍ୟବର ଆଇନ ମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦିଆ ଯାଇଥିଲା। କାର୍ଯ୍ୟକ୍ରମକୁ ଆଇନଜୀବୀ ଶୀଳାଦିତ୍ୟ ଶାସ୍ତ୍ରୀ, ଶିକ୍ତ ସିଦ୍ଧାର୍ଥ ମହାନ୍ତି, ଅଶୋକ ବଡ଼ପଣ୍ଡା, ରମାକାନ୍ତ ରାଉତରାୟ ଓ ଶାରଦା ମଞ୍ଜରୀ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ ।





