ଭୁବନେଶ୍ୱର, ୧୧/୧୦ (ଭାରତ ପ୍ରସାରଣ): ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICMAI) ର ଭୁବନେଶ୍ୱର ଶାଖାର ନୂତନ ଅଧ୍ୟକ୍ଷ ଭାବେ ସିଏମ୍ଏ ସତ୍ୟ ସୁନ୍ଦର ମହାସୁଆର ନିର୍ବାଚିତ ହୋଇଛନ୍ତି। ନଭେମ୍ବର ୯ ତାରିଖରେ ଅନୁଷ୍ଠିତ ଶାଖାର ପରିଚାଳନା କମିଟିର ପଞ୍ଚମ ବୈଠକରେ ସେ ସର୍ବସମ୍ମତିକ୍ରମେ ଏହି ଦାୟିତ୍ୱ ପାଇଁ ଚୟନ ହୋଇଥିଲେ।

ଏହି ନୂତନ କମିଟିରେ ସିଏମ୍ଏ ଅଜୟ କୁମାର ସାମଲ ସମ୍ପାଦକ ଏବଂ ସିଏମ୍ଏ ସୌମ୍ୟ ରଞ୍ଜନ ଜେନା କୋଷାଧ୍ୟକ୍ଷ ଭାବେ ନିଜ ଦାୟିତ୍ୱ ଅବ୍ୟାହତ ରଖିଛନ୍ତି।

ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଶ୍ରୀ ମହାସୁଆର ସିଏମ୍ଏ ବୃତ୍ତିର ଉନ୍ନତି, ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି, ଦକ୍ଷତା ବିକାଶ ଏବଂ ଜ୍ଞାନ ଆଦାନପ୍ରଦାନକୁ ଅଧିକ ସକ୍ରିୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସିଏମ୍ଏ ବୃତ୍ତିର ନିରନ୍ତର ବିକାଶ ଓ ଉତ୍କର୍ଷତା ହାସଲ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସତ୍ୟ ସୁନ୍ଦର ମହାସୁଆର ବୀଣାପାଣି ମହାସୁଆର ଓ ଶ୍ୟାମ ସୁନ୍ଦର ମହାସୁଆରଙ୍କ ଜ୍ୟେଷ୍ଠ ପୁତ୍ର। ଛାତ୍ରଜୀବନରୁ ମେଧାବୀ ଥିବା ଶ୍ରୀ ମହାସୁଆରଙ୍କର ଶିକ୍ଷାଦାନ ପ୍ରତି ବିଶେଷ ଆଗ୍ରହ ରହିଥିଲା। ବାଣିଜ୍ୟ ଓ ପରିଚାଳନା ଶିକ୍ଷା କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ବୃତ୍ତିଗତ ଜୀବନରେ ସେ ଅନେକ ଦେଶ ଭ୍ରମଣ କରିବା ସହ ବିଭିନ୍ନ ମଞ୍ଚରୁ ଅନେକ ସମ୍ମାନ ଓ ପୁରସ୍କାର ହାସଲ କରିଛନ୍ତି।
ତାଙ୍କର ଏକମାତ୍ର ପୁତ୍ର ଆଇଆଇଟି କାନପୁରରେ ବିଟେକ୍ ଅଧ୍ୟୟନ କରୁଥିବା ବେଳେ ତାଙ୍କ ଧର୍ମପତ୍ନୀ କମ୍ପ୍ୟୁଟର ଇଞ୍ଜିନିୟରର ଶିକ୍ଷା ହାସଲ କରିଥିଲେ ମଧ୍ୟ ଗୃହିଣୀ ଭାବେ ପରିବାରର ଦାୟିତ୍ୱ ତୁଲାଇବାକୁ ପସନ୍ଦ କରିଛନ୍ତି।
ସିଏମ୍ଏ ସତ୍ୟ ସୁନ୍ଦର ମହାସୁଆରଙ୍କ ନୂତନ ଦାୟିତ୍ୱ ପାଇଁ ଭାରତ ପ୍ରସାରଣ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା ଓ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି।






