- କିଟ୍ ଓ କିସ୍ ପରିଦର୍ଶନରେ ଜାପାନର ୩୫ଜଣିଆ ପ୍ରତିନିଧିମଣ୍ଡଳୀ
- ୪ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୧୧ ।୧୧(ଭାରତ ପ୍ରସାରଣ): ଜାପାନ ଟୋଟୋରିରୁ ୩୫ ଜଣିଆ ପ୍ରତିନିଧିମଣ୍ଡଳୀ ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଫେରିଯାଇଛନ୍ତି। ଏହି ପ୍ରତିନିଧିମଣ୍ଡଳୀ କିଟ୍ର ବିଭିନ୍ନ କ୍ୟାମ୍ପସ୍ ଓ କିସ୍ ପରିଦର୍ଶନ କରିବା ସହ ଏଠାକାର କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ଓ ଗବେଷଣା ଉପରେ ଆଲୋଚନା କରିଥିଲେ। କିସ୍ ଓ କିଟ୍ ପରିଦର୍ଶନ କରିବା ପରେ ସେମାନେ ବେଶ୍ ସନ୍ତୋଷ ବ୍ୟକ୍ତ କରି ଏଭଳି ପ୍ରୟାସ ପାଇଁ ସେମାନେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଥିଲେ।
ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟ ଓ ଜାପାନର ଟୋଟୋରି ବିଶ୍ୱବିଦ୍ୟାଳୟ, ଓନେଷ୍ଟ୍ରକ୍ସନ, ଟିଓଏ ସଫ୍ଟୱେର ଏବଂ ଆଇଇପିଏମ୍ଏଫ୍ ଓ ଆର ଜିରୋ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ଜରିଆରେ ଶିକ୍ଷା, ମିଳିତ ଗବେଷଣା ଏବଂ ଶିଳ୍ପ ସହଯୋଗକୁ ଅଧିକ ସୁଦୃଢ଼ କରାଯିବ। ଏହାଦ୍ୱାରା ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍, ନିଯୁକ୍ତି ଏବଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଦିଗରେ ସୁଯୋଗ ସୃଷ୍ଟି ହେବ। କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଏହି ବୁଝାମଣା ମାଧ୍ୟମରେ ଉଚ୍ଚଶିକ୍ଷା, ଗବେଷଣା ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ଜାପାନ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି। ବିଶେଷକରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ସିକ୍ୟୁରିଟି, ବ୍ଲକଚେନ୍, ରୋବୋଟିକ୍ସ ଏବଂ ସେମିକଣ୍ଡକ୍ଟର ଭଳି ଅତ୍ୟାଧୁନିକ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି।
ଏହି ଅବସରରେ ଜାପାନୀ ପ୍ରତିନିଧିମଣ୍ଡଳୀ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ବୁଝାମଣାରେ ସନ୍ତୋଷ ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଲେ, ଏଭଳି ସହଯୋଗ ଜରିଆରେ ନୂତନ ପାଠ୍ୟକ୍ରମ ପ୍ରଚଳନ, ଦକ୍ଷତା ବିକାଶ, ଗବେଷଣା, ଶିଳ୍ପଭିତ୍ତିକ ପ୍ରଶିକ୍ଷଣ ଏବଂ ଜ୍ଞାନର ଆଦାନପ୍ରଦାନକୁ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପର୍କରେ ଶିକ୍ଷା ହାସଲ କରିବା ସହ ପ୍ରାୟୋଗିକ ଅନୁଭୂତି ପାଇପାରିବେ। ଏଥିସହ ଜାପାନ ସମେତ ଭାରତ ଓ ବିଦେଶରେ ଉଚ୍ଚଶିକ୍ଷା, ଇଣ୍ଟର୍ନସିପ୍, ଗବେଷଣା ଓ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏଥିସହ କିଟ୍ ସହ ବୁଝାମଣା କରିଥିବାରୁ ଶ୍ରୀ ସାମନ୍ତ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।





