ଭୁବନେଶ୍ୱର, ୩୦/୧୦/୨୦୨୬: ଟାଇ (TiE) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏହାର ପ୍ରମୁଖ ଅନ୍ତର୍ଜାତୀୟ ଉଦ୍ୟୋଗିତା ସମ୍ମିଳନୀ ‘ଟାଇକନ୍ ଭୁବନେଶ୍ୱର ୨୦୨୬: ଓଡ଼ିଶା ଲିପ୍ ଅପ୍ ସମ୍ମିଳନୀ’ର ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱରସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନ୍ରେ ଉଦ୍ଘାଟିତ ହୋଇଯାଇଛି। ‘ବିଲ୍ଡ, ସ୍କେଲ୍ ଆଣ୍ଡ ଏକ୍ସପୋର୍ଟ’ (ଗଢ଼ିବା, ସମ୍ପ୍ରସାରଣ କରିବା ଓ ରପ୍ତାନି କରିବା) ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଉଦ୍ୟୋଗିତା ପରିବେଶକୁ ସୁଦୃଢ଼ କରିବା, ରପ୍ତାନିଭିତ୍ତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା, ନବସୃଜନକୁ ତ୍ୱରାନ୍ୱିତ କରିବା ଏବଂ ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହିତ ଯୋଡ଼ିବା।
ଏହି ସମ୍ମିଳନୀକୁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଥିଲେ। ସେ ଓଡ଼ିଶାର ଏକ ପ୍ରମୁଖ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ତଥା ପୂର୍ବ ଭାରତର ଅର୍ଥନୈତିକ ବିକାଶର କେନ୍ଦ୍ର ଭାବେ ଉଭା ହେବାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଉଦ୍ଘାଟନୀ ଅଧିବେଶନରେ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପପତି ଓ ଉଦ୍ୟୋଗୀମାନେ ଯୋଗଦେଇଥିଲେ।
ଡାକ୍ତର ମହାଲିଙ୍ଗ କହିଥିଲେ ଯେ, ପ୍ରଚୁର ପ୍ରାକୃତିକ ସମ୍ପଦ, ଆବଶ୍ୟକତାଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତା, ଜମି ଓ ଜଳର ଉପଲବ୍ଧତା ଏବଂ ପ୍ରଗତିଶୀଳ ଶିଳ୍ପନୀତି ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ରାଜ୍ୟରେ ପରିଣତ କରିଛି। ସୂଚନା ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, ଧାତୁ ଶିଳ୍ପ, ଆନୁଷଙ୍ଗିକ ଶିଳ୍ପ ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆକର୍ଷଣ କରିବାର ସାମର୍ଥ୍ୟ ରାଜ୍ୟର ରହିଛି।
‘ମାଇନ୍ସ ଟୁ ମାଇକ୍ରୋଚିପ୍ସ’ ଅର୍ଥାତ୍ ଖଣିଜ ସମ୍ପଦରୁ ମାଇକ୍ରୋଚିପ୍ ଉତ୍ପାଦନ ପର୍ଯ୍ୟନ୍ତ ବିକାଶର ପରିକଳ୍ପନା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ, ରାଜ୍ୟର ଖଣିଜ ସମ୍ପଦକୁ ବ୍ୟବହାର କରି ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ଓ ଡାଟା ସେଣ୍ଟର ଭଳି ଉଚ୍ଚମୂଲ୍ୟର ପ୍ରଯୁକ୍ତିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରାଯାଇପାରିବ। ଏଥିସହିତ ଓଡ଼ିଶା ବିଧାନସଭାରେ ପାରିତ ଜନ ବିଶ୍ୱାସ ବିଲ୍ ମାଧ୍ୟମରେ ନିୟମ ପାଳନ ପ୍ରକ୍ରିୟାକୁ ସରଳ କରିବା, ଡିଜିଟାଲ୍ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଏବଂ ଶିଳ୍ପ ଓ ଗବେଷଣା ମଧ୍ୟରେ ସହଯୋଗ ବୃଦ୍ଧି କରି ନିବେଶକଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଉଥିବା ସେ ଉଲ୍ଲେଖ କରିଥିଲେ।
ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଆଇଏଏସ୍, ଉଦ୍ୟୋଗିତାକୁ ଓଡ଼ିଶାର କୃଷିଭିତ୍ତିକ ଅର୍ଥନୀତିରୁ ବହୁମୁଖୀ ଶିଳ୍ପଭିତ୍ତିକ ଅର୍ଥନୀତିକୁ ରୂପାନ୍ତରଣ କରିବାର ଏକ ପ୍ରମୁଖ ମାଧ୍ୟମ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଯେ, ଗତ ୧୨ ମାସ ମଧ୍ୟରେ ଟାଇ ଓଡ଼ିଶା ପକ୍ଷରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅତି କମ୍ରେ ୪୮ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଯୋଡ଼ିବା ସହ ଯୁବପିଢ଼ିଙ୍କୁ ଉଦ୍ୟୋଗିତା ପ୍ରତି ଆକର୍ଷିତ କରାଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ ଶର୍ମା କହିଥିଲେ ଯେ, ଯଦି ଓଡ଼ିଶା ବାର୍ଷିକ ୭ରୁ ୮ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିପାରେ, ତେବେ ପ୍ରାୟ ସାତ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ଦ୍ୱିଗୁଣିତ ହୋଇପାରିବ। ସେହିପରି ୯ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହେଲେ ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଆଇଏଏସ୍, କହିଥିଲେ ଯେ, ଓଡ଼ିଶା ନିଜର ନୀତିଗତ ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଦକ୍ଷ ମାନବସମ୍ବଳକୁ ଅଧିକ ସୁଦୃଢ଼ କରୁଛି। ରାଜ୍ୟ ‘ମେଡ୍ ଇନ୍ ଓଡ଼ିଶା’ରୁ ‘ମେକ୍ ଇନ୍ ଓଡ଼ିଶା’ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି। ଏଥିରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତାଭିତ୍ତିକ ଡାଟା ସେଣ୍ଟର ଏବଂ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (ଜିସିସି) ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ସେ ସୂଚନା ଦେଇଥିଲେ ଯେ, ରାଜ୍ୟରେ ୪ ବିଲିୟନ୍ ଆମେରିକୀୟ ଡଲାରରୁ ଅଧିକ ପ୍ରସ୍ତାବିତ ପୁଞ୍ଜିନିବେଶ ସହିତ ପାଞ୍ଚଟି ସେମିକଣ୍ଡକ୍ଟର ପ୍ରକଳ୍ପ କାର୍ଯ୍ୟକାରୀ ହେବା ପ୍ରକ୍ରିୟାରେ ରହିଛି। ଭାରତ ସେମିକଣ୍ଡକ୍ଟର ମିଶନ୍ ଅଧୀନରେ ଅନୁମୋଦିତ ୧୨ଟି ପ୍ରକଳ୍ପ ମଧ୍ୟରୁ ଦୁଇଟି ଓଡ଼ିଶାରେ ରହିଛି। ଏଥିରେ ଏକ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ରିକେସନ୍ କେନ୍ଦ୍ର ଏବଂ ଏକ ଉନ୍ନତ ଥ୍ରି-ଡି ଚିପ୍ ପ୍ୟାକେଜିଂ ୟୁନିଟ୍ ଅନ୍ତର୍ଭୁକ୍ତ। ଇଣ୍ଟେଲ୍ ଓ ଜିଟି ଗ୍ଲାସ୍ ସଲ୍ୟୁସନ୍ସ ଭଳି ବିଶ୍ୱସ୍ତରୀୟ କମ୍ପାନୀ ସହ ସହଯୋଗ ମାଧ୍ୟମରେ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହାସଲରେ ସହାୟତା ମିଳିବ ବୋଲି ଆଶା କରାଯାଉଛି। ଏହି ପରିକଳ୍ପନା ଅଧୀନରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ଟାଇ ଭୁବନେଶ୍ୱରର ସଭାପତି ଶ୍ରୀ ଆୟସକାନ୍ତ ମହାନ୍ତି କହିଥିଲେ ଯେ, ଭାରତୀୟ ଉଦ୍ୟୋଗଗୁଡ଼ିକୁ ଅନ୍ତର୍ଜାତୀୟ ବଜାରରେ ସଫଳ କରିବା ପାଇଁ ସରକାରୀ ନୀତି ସହିତ ବୃହତ୍ ଭିତ୍ତିଭୂମି, ଉତ୍ପାଦର ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ଆବଶ୍ୟକ। ଜେଏସ୍ଡବ୍ଲ୍ୟୁ ବିପିଏସ୍ଏଲ୍ର ସଭାପତି ଶ୍ରୀ ଅନିଲ କୁମାର ସିଂହ ବୃହତ୍ ଉତ୍ପାଦନ କ୍ଷମତା, ଦକ୍ଷ ପରିବହନ ଓ ଯୋଗାଣ ବ୍ୟବସ୍ଥା ଏବଂ ବିଶ୍ୱସ୍ତରୀୟ ପ୍ରଯୁକ୍ତି ସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଏମ୍ଏଏସ୍ ଇଣ୍ଡିଆର ସିଇଓ ଶ୍ରୀ ମଲିକ ଅହମଦିନ୍ ଏବଂ ଭୋଲ୍କସି ଟେକ୍ନୋଲୋଜି ଓ ଇଏଚ୍ଏଏମ୍ର ଶ୍ରୀ ମୁରଲୀ ବୁକ୍କାପଟ୍ଟନମ୍ ମଧ୍ୟ ନିଜର ମତାମତ ରଖିଥିଲେ। ସେମାନେ ଉଦ୍ୟୋଗିତାର ବିକାଶ, ନୂତନ ବ୍ୟବସାୟିକ ସୁଯୋଗ ଏବଂ ବିଶ୍ୱ ବଜାରରେ ଭାରତୀୟ ଉଦ୍ୟୋଗଗୁଡ଼ିକର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ଟାଇ ଭୁବନେଶ୍ୱରର ଉପସଭାପତି ଶ୍ରୀ ସାନୁ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମ୍ମିଳନୀର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ‘ଟାଇ ଭୁବନେଶ୍ୱର ଏକାଡେମୀ’ ଏବଂ ‘ଟାଇ ଭୁବନେଶ୍ୱର ଏଚ୍ଏନ୍ଆଇ କନେକ୍ଟ’ର ଶୁଭାରମ୍ଭ। ଉଦ୍ୟୋଗିତା ବିକାଶ, ନୂତନ ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିବା ସହିତ ପୁଞ୍ଜିନିବେଶକଙ୍କ ମଧ୍ୟରେ ସମ୍ପର୍କ ଓ ସହଯୋଗ ବୃଦ୍ଧି କରିବା ଏହି ଦୁଇଟି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ବିଭିନ୍ନ ଆଞ୍ଚଳିକ ଟାଇ ଚାପ୍ଟରର ନେତୃବୃନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଟାଇ ପାଟନାର ଶ୍ରୀ କୁମୁଦ କୁମାର, ଟାଇ କାନପୁରର ଡାକ୍ତର ରାଓ ବିକ୍ରମ ସିଂହ ଏବଂ ଟାଇ ବିଶାଖାପାଟଣାର ଶ୍ରୀ କଲ୍ୟାଣ ପ୍ରମୁଖ ରହିଥିଲେ। ଏଥିସହିତ ଶ୍ରୀଲଙ୍କାର ଟାଇ କଲମ୍ବୋ ଭଳି ଅନ୍ତର୍ଜାତୀୟ ସହଯୋଗୀ ସଂଗଠନର ପ୍ରତିନିଧିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ସମ୍ମିଳନୀର ପ୍ରଥମ ଦିନରେ ରପ୍ତାନିଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧି, ଅନ୍ତର୍ଜାତୀୟ ବଜାର ସହିତ ସଂଯୋଗ, ବ୍ୟବସାୟ ସମ୍ପ୍ରସାରଣ ଏବଂ ଭାରତୀୟ ଉଦ୍ୟୋଗଗୁଡ଼ିକୁ ବିଶ୍ୱ ବଜାରରେ ପ୍ରତିଷ୍ଠିତ କରିବା ଉପରେ ବିଶେଷ ଆଲୋଚନା କରାଯାଇଥିଲା।
ଦ୍ୱିତୀୟ ଦିନରେ ଡିପ୍ଟେକ୍ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ମହାକାଶ ପ୍ରଯୁକ୍ତିବିଦ୍ୟା, ଡ୍ରୋନ୍ ପ୍ରଯୁକ୍ତି, ଡାଟା ସେଣ୍ଟର, ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (ଜିସିସି) ଏବଂ ସବୁଜ ଶକ୍ତି ଭଳି ଅତ୍ୟାଧୁନିକ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା କରାଯିବ।
ଏହି ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ଶିଳ୍ପପତି, ପୁଞ୍ଜିନିବେଶକ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ନବସୃଜନକାରୀମାନେ ଏକତ୍ରିତ ହୋଇ ପୁଞ୍ଜିନିବେଶ, ବ୍ୟବସାୟ ସମ୍ପ୍ରସାରଣ ଏବଂ ବିଶ୍ୱସ୍ତରୀୟ ସହଯୋଗର ନୂତନ ସମ୍ଭାବନା ଉପରେ ବିଚାରବିମର୍ଶ କରୁଛନ୍ତି।
ଟାଇକନ୍ ଭୁବନେଶ୍ୱର ୨୦୨୬: ଓଡ଼ିଶା ଲିପ୍ ଅପ୍ ସମ୍ମିଳନୀ ରାଜ୍ୟର ଉଦ୍ୟୋଗିତା ପରିବେଶକୁ ଅଧିକ ସୁଦୃଢ଼ କରିବା ସହିତ ଓଡ଼ିଶାକୁ ନବସୃଜନ, ଉନ୍ନତ ପ୍ରଯୁକ୍ତିବିଦ୍ୟା, ଶିଳ୍ପ ବିକାଶ ଓ ଅନ୍ତର୍ଜାତୀୟ ବ୍ୟବସାୟର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହେଉଛି।





